ଢେଙ୍କାନାଳ: କଙ୍କଡାହାଡ ଥାନା ପୋଲିସର ମନମୁଖୀ କାର୍ଯ୍ୟକଳାପର ପ୍ରତିବାଦରେ ଥାନା ଘେରିଲେ ଗ୍ରାମବାସୀ। କଙ୍କଡାହାଡ ଥାନାକୁ ଘେରିଛନ୍ତି ଶତାଧିକ ଆଦିବାସୀ। ପୋଲିସ ଗିରଫ କରିଥିବା ଦମ୍ପତିଙ୍କୁ ଛାଡିବା ଦାବିରେ ଶତାଧିକ ଗ୍ରାମବାସୀ କଙ୍କଡାହାଡ ଥାନାକୁ ଘେରାଉ କରିଥିଲେ।
ସୂଚନା ମୁତାବକ, ଜୁଲାଇ ୩୦ ତାରିଖରେ କଙ୍କଡାହାଡ ଗ୍ରାମର ଲକ୍ଷ୍ମୀ ମୁର୍ମୁ ଓ ସର୍ଦ୍ଦାର ମୁର୍ମୁ ଉଭୟ ଦମ୍ପତିଙ୍କୁ ସେହି ଗ୍ରାମର କିଛି ଯୁବକ ମରଣାତ୍ମକ ଆକ୍ରମଣ କରିଥିଲେ। ସେମାନେ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଘଟଣା ଘଟିବାର ଦିନ ପରେ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନନେବାରୁ ବାଧ୍ୟ ହୋଇ ଢେଙ୍କାନାଳ ଏସପିଙ୍କୁ ଭେଟିଥିଲେ ଉକ୍ତ ଦମ୍ପତି।
ଏହାପରେ ପୋଲିସ କିଛି ପଦକ୍ଷେପ ନନେଇ ଓଲଟି ଉଭୟ ଦମ୍ପତିଙ୍କ ନାଁରେ କେସ ରୁଜୁ କରି କୋର୍ଟଚାଲାଣ କରିଛି। ଫଳରେ ତାଙ୍କର ୩ ଜଣ ଶିଶୁ ଏବେ ବୁଢୀ ଜେଜେ ମା' ପଖରେ ଭୋକ ଉପାସରେ ଦିନ କାଟୁଛନ୍ତି। ଗ୍ରାମବାସୀ ଉକ୍ତ ଦମ୍ପତିଙ୍କୁ ତୁରନ୍ତ ଛାଡିବା ସହ ଉପଯୁକ୍ତ ନ୍ୟାୟ ଦାବିରେ କଙ୍କଡାହାଡ ଥାନା ଆଗରେ ପ୍ରତିବାଦ କରିଥିଲେ। ଥାନା ଅଧିକାରି ଲୋକଙ୍କୁ ବୁଝାସୁଝା କରି ଆକ୍ରମଣକାରୀଙ୍କୁ ୪ ଦିନ ଭିତରେ ଗିରଫ କରିବାର ପ୍ରତିଶୃତି ଦେବା ପରେ ହଟିଥିଲେ ଗ୍ରାମବାସୀ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ