ଢ଼େଙ୍କାନାଳ : ଆଜି ପବିତ୍ର ରାମନବମୀ । ଏହି ଅବସରରେ ଢ଼େଙ୍କାନାଳର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାସ୍ଥିତ ପ୍ରଭୁ ଶ୍ରୀରାମଙ୍କ ପୀଠ ଏକ ଆଧ୍ୟାତ୍ମିକ ପରିବେଶରେ ଉଛୁଳି ଉଠିଛି । ଦୀର୍ଘ ଦୁଇ ବର୍ଷର କୋଭିଡ କଟକଣା ଉଠିଯାଇଥିବାରୁ ପୀଠକୁ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଏହି ଅବସରରେ ଢ଼େଙ୍କାନାଳର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାସ୍ଥିତ ଶ୍ରୀରାମଙ୍କ ପୀଠ ବେଶ ଚଳଚଞ୍ଚଳ ହୋଇଉଠିଛି ।
ପୀଠରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ତାଙ୍କ ପରିଷଦ ବର୍ଗଙ୍କ ସହ ବିଦ୍ୟମାନ ଥିବାରୁ ପାଳିତ ହେଉଛି ପ୍ରଭୁଙ୍କ ଜନ୍ମୋତ୍ସଵ। ଏଥିପାଇଁ ଆଜି ସକାଳୁ ସ୍ବତନ୍ତ୍ର ଭାବେ ରୀତିନୀତି ମୁତାବକ ପ୍ରଭୁଙ୍କର ପୂଜାର୍ଚ୍ଚନା ହୋଇଥିଲା। ପରମ୍ପରା ମୁତାବକ ଏଠାରେ ସପ୍ତର୍ଷିଙ୍କ ଯଜ୍ଞ ମଣ୍ଡପରେ ବିଶ୍ବଶାନ୍ତି ଉଦ୍ଦେଶ୍ୟରେ ଉତ୍କଳ ସତ୍ୟ ସମାଜ ପକ୍ଷରୁ ଯଜ୍ଞ ଉତ୍ସବ ଆୟୋଜନ କରାଯାଇଥିଲା ।
ପ୍ରଭୁ ଶ୍ରୀରାମଙ୍କୁ ମନଭରି ଦର୍ଶନ କରିବାସହ ମାନସିକଧାରୀ ଦୀପ ଜାଳି ନିଜ ପରିବାରର ମଙ୍ଗଳ ମନାସୀଥିଲେ। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପାଦଦେଶରେ ଗାଡି ପାର୍କିଂ ବ୍ୟବସ୍ଥା ସହ ପ୍ରଶାସନ ପକ୍ଷରୁ ପୁଲିସ ମୁତୟନ କରାଯାଇଛି ।
ସେପଟେ ପ୍ରଭୁଙ୍କ ଦଶନ ସାଙ୍ଗକୁ ପ୍ରସାଦ ସେବନ କରି ସପ୍ତଶଯ୍ୟାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ମୁକ୍ତ ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁମାନେ ବେଶ ଉପଭୋଗ କରୁଥିବା ପ୍ରକାଶ କରିଛନ୍ତି। ତେବେ ଦୀର୍ଘ ଦୁଇ ବର୍ଷର କୋଭିଡ କଟକଣା ଚଳିତ ବର୍ଷ ଉଠାଇ ଦିଆଯାଇଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଖୁସି କହିଲେ ନସରେ । ଫଳରେ ଚଳିତ ବର୍ଷ ସପ୍ତଶଯ୍ୟାର ପ୍ରଭୁ ଶ୍ରୀରାମଙ୍କ ଏହି ପୀଠ ଭଜନ କୀର୍ତ୍ତନ ସାଙ୍ଗକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଉଛୁଳି ପଡିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ