ଢେଙ୍କାନାଳ:ଜିଲ୍ଲାରେ ଅଭାବନୀୟ ଘଟଣା । ଜନ୍ମଦିନରେ ଚାଲିଗଲା ଜୀବନ । ଜନ୍ମଦିନରେ ଚାଲିଗଲା ୬ ବର୍ଷ ଶିଶୁର ଜୀବନ । ନୂଆ ଜାମା ପିନ୍ଧି ଖେଳିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିଲା ନାହିଁ କଅଁଳ ଶିଶୁ, ଫାଣ୍ଡି ପଛପଟ ପୋଖରୀରୁ ଉଦ୍ଧାର ହେଲା ମୃତଦେହ । ଏଭଳି ଘଟଣା ଘଟିଛି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଟିପିଲେଇ ଗ୍ରାମରେ । ମୃତ ଶିଶୁ ଜଣଙ୍କ ହେଉଛନ୍ତି ରମାକାନ୍ତ ନାୟକଙ୍କ ସାନ ପୁଅ ରିଷି ନାୟକ ।
ମିଳିଥିବା ସୂଚନା ଅନୁଯାୟୀ, ରିଷି ନାୟକଙ୍କ ଗତକାଲି ଜନ୍ମ ଦିନ ଥିଲା । ନୂଆ ଡ୍ରେସ ପିନ୍ଧି ଜନ୍ମ ଦିନ ପାଳନ କରିବା ପରେ ଅପରାହ୍ନ ଚାରିଟା ସମୟରେ ବଡ ଭାଇ ସହିତ ଖେଳିବାକୁ ଘରୁ ବାହାରିଥିଲା । କିନ୍ତୁ ଦଇବର ନିୟମ ଥିଲା କିଛି ଭିନ୍ନ । ଖେଳ ସାରି ବଡ ଭାଇ ଘରକୁ ଫେରିଥିଲା । ହେଲେ ସାନ ପୁଅ ରିଷି ଆଉ ଘରକୁ ଫେରିନଥିଲା । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିକଟସ୍ଥ ସୁରପ୍ରତାପପୁର ଫାଣ୍ଡି ପଛପଟ ପୋଖରୀରୁ ମିଳିଥିଲା ରିଷିର ମୃତଦେହ ।
ଏହା ମଧ୍ୟ ପଢନ୍ତୁ-ବିଜେଡି ନେତାଙ୍କ ଗାଡ଼ି ଉପରକୁ ବୋମା ମାଡ଼, ସିସିଟିଭିରେ କଏଦ ହେଲା ଭିଡିଓ
ତେବେ ପରିବାର ଲୋକେ ରିଷିକୁ ପୋଖରୀରୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରେ ଭୁବନ ଡାକ୍ତର ରିଷିକୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ସୁରପ୍ରତାପପୁର ଫାଣ୍ଡିରେ ଏନେଇ ଅଭିଯୋଗ କରିବା ପରେ ମେଡିକାଲରେ ପହଞ୍ଚି ଛାନଭିନ କରିଥିଲା । ସୁରପ୍ରତାପପୁର ଫାଣ୍ଡି ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଖେଳୁଥିବା ସମୟରେ ଫାଣ୍ଡି ପଛପଟକୁ କେମିତି ଗଲା ରିଷି, ସେନଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରିଷିର ମୃତ୍ୟୁ ପାଇଁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏନେଇ ପୋଲିସ ବା ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଇଟିଭି ଭାରତ, ଢେଙ୍କାନାଳ