ଢେଙ୍କାନାଳ: କାମାକ୍ଷାନଗରରେ ସଡକ ଦୁର୍ଘଟଣା । ଟ୍ରକ ଓ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନାଅନୁସାରେ, ବୁଧବାର ଭୋରୁ ଭୋରୁ କାମାକ୍ଷାନଗର ପଟୁ ଢେଙ୍କାନାଳ ଆସୁଥିବା ଟ୍ରକଟି ବିପରୀତ ଦିଗରୁ ଆସୁଥିବା ହାଇୱା ସହ ମୁହାଁ ମୁହିଁ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଟ୍ରକ ଡ୍ରାଇଭଙ୍କର ମୃତ୍ୟୁ ହୋଇଥିଲା ।
ମୃତକ ଜଣକ ହେଲେ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମର କୈଳାଶ ମଲ୍ଲିକ । ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣକ ହେଲେ କୈଳାଶଙ୍କ ପୁଅ ଅରବିନ୍ଦ ମଲ୍ଲିକ । ଅରବିନ୍ଦଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାରେ ପୋଲିସ ହାଇୱା ଓ ଟ୍ରକକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ