ଢେଙ୍କାନାଳ: ନୀହଲପ୍ରସାଦ ଥାନା ଅଞ୍ଚଳରେ ଅତ୍ୟନ୍ତ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମାନସିକ ଭିନ୍ନକ୍ଷମ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ କେହି ଦୁଷ୍କର୍ମ କରିଥିବାବେଳେ ସେ 5ମାସର ଗର୍ଭବତୀ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ପିଡ଼ୀତାଙ୍କ ପରିବାର ନିହଲ ପ୍ରସାଦ ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିବା ସହ ନ୍ୟାୟ ମାଗିଛନ୍ତି । ଅଭିଯୋଗ ଆଧାରରେ ନିହଲ ପ୍ରସାଦ ପୁଲିସ ଏକ ଦୁଷ୍କର୍ମ ମମାଳା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଉକ୍ତ ମହିଳାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି ।
ମିଳିଥିବା ସୂଚନା ଅନୁସାରେ ପିଡ଼ୀତା ମହିଳାଙ୍କ ବୟସ ୩୫ବର୍ଷ ହୋଇଥିବାବେଳେ ଗତ ୧୩ ବର୍ଷ ପୂର୍ବେ ଯାଜପୁର ଜିଲ୍ଲାରେ ବିବାହ କରିଥିଲେ । ତାଙ୍କର 2ଟି ପୁଅ ମଧ୍ୟ ଥିବା ଜଣାପଡିଛି । ତେବେ ସେ ମାନସିକ ଭିନ୍ନକ୍ଷମ ହୋଇଯିବାରୁ ତାଙ୍କ ସ୍ବାମୀ ତାଙ୍କୁ ଆଜକୁ ଦେଢ଼ବର୍ଷ ହେଲା ଛାଡି ଦେଇଛନ୍ତି । ଫଳରେ ଏହି ପୀଡିତ ମହିଳା ଜଣଙ୍କ ଏଣେତେଣେ ବୁଲୁଥିଲେ । ବାପାଘର ଅତ୍ୟନ୍ତ ଆର୍ଥିକ ପଛୁଆ ହୋଇଥିବା ସତ୍ତ୍ବେ ଦେଢ ବର୍ଷ ହେଲା ଉକ୍ତ ମହିଳାଙ୍କୁ ଘରେ ଆଣି ଆଶ୍ରୟ ଦେଇଥିଲେ । ମାତ୍ର ମହିଳା ଜଣଙ୍କ ମାନସିକ ଭିନ୍ନକ୍ଷମତା ଓ ଅସହାୟତାର ସୁଯୋଗ ନେଇ ତାଙ୍କୁୁ କେହି ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ମହିଳା ଜଣଙ୍କ ଗର୍ଭବତୀ ଥିବା ସୂଚନା ମିଳିବା ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସମ୍ପର୍କରେ ପରିବାର ଲୋକ ଜାଣିବାକୁ ପାଇ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏ ସମ୍ପର୍କରେ ନୀହଳପ୍ରସାଦ ପୁଲିସ କ୍ୟାମେରା ଆଗରେ ମୁହଁ ଖୋଳୁନଥିଲେ ମଧ୍ୟ ତନାଘନା ତଦନ୍ତ ଆରମ୍ଭ କରିଛି । ଆଉ ଏପଟେ ପରିବାର ଲୋକେ ବାଧ୍ୟ ହୋଇ ନୀହଲପ୍ରସାଦ ଥାନାରେ ଅଭିଯୋଗ କରି ପୀଡିତାକୁ ନ୍ୟାୟ ଦେବା ପାଇଁ ଗୁହାରି କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ