ଢେଙ୍କାନାଳ : ବିପର୍ଯ୍ୟସ୍ତ ରାଜପଥକୁ ନେଇ ବଢୁଛି ଅସନ୍ତୋଷ । ଏନଏଚ 55 ମରାମତି ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଢେଙ୍କାନାଳ ଘରୋଇ ବସ ମାଲିକ ସଂଘ । ଦିନିକିଆ ବସ ଚଳାଚଳ ବନ୍ଦ ରଖି ପ୍ରତିବାଦ ଶୋଭାଯାତ୍ରାରେ ଯାଇ ଘେରିଲେ ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ କାର୍ଯ୍ୟାଳୟ । ମଙ୍ଗୁଳି ଛକରୁ ସମ୍ବଲପୁରକୁ ଯୋଗାଯୋଗ କରୁଥିବା ମୁଖ୍ୟରାସ୍ତା ୫୫ ନମ୍ବର ଜାତୀୟ ରାଜପଥର ମଙ୍ଗୁଳିରୁ ଅନୁଗୁଳ ଯାଏଁ ବିପର୍ଯ୍ୟସ୍ତ ହୋଇପଡିଛି ।
ଏହି ରାସ୍ତାର ଚାରି ଥାକିଆ ସଂପ୍ରସାରଣ ପାଇଁ କାର୍ଯ୍ୟ କରୁଥିବା ଠିକସଂସ୍ଥା ଅଧାରୁ କାମ ଛାଡି ଦେଇଛି । ଢେଙ୍କାନାଳରୁ ଅନୁଗୁଳ ଓ କଟକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଠିକ ନ ଥିବା ଯୋଗୁଁ ବସ ଚଳାଚଳରେ ସମସ୍ୟା ଉପୁଜୁଛି । ଫଳରେ ବାଧ୍ୟ ହୋଇ ଢେଙ୍କାନାଳ ଘରୋଇ ବସ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଆଜି ଗୋଟିଏ ଦିନ ପାଇଁ ଧର୍ମଘଟ ଯୋଗୁଁ କଟକ-ଢେଙ୍କାନାଳ-ଅନୁଗୁଳ , ଢେଙ୍କାନାଳ -ହିନ୍ଦୋଳ, କାମାକ୍ଷାନଗର -ଭୁବନ ପରଜଙ୍ଗ ଆଦି ଅଞ୍ଚଳକୁ ସମ୍ପୂର୍ଣ୍ଣ ବସ ଚଳାଚଳ ବନ୍ଦ ରଖିଛନ୍ତି ବସ ମାଲିକ ସଂଘ । ଯାହା ଫଳରେ ଯାତ୍ରୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।
ଏପରିକି ଘରୋଇ ବସ ମାଲିକମାନେ ଢେଙ୍କାନାଳ ବସଷ୍ଟାଣ୍ଡରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଥିଲେ । ସହର ପରିକ୍ରମା ପରେ ଦକ୍ଷିଣକାଳୀ ସ୍ଥିତ ଏନଏଚଆଇ ପ୍ରକଳ୍ପ କାର୍ଯ୍ୟାଳୟକୁ ଯାଇ ଘେରାଉ କରିଥିଲେ । ସଂପ୍ରସାରଣ ରାସ୍ତା ତୁରନ୍ତ ଶେଷ କରିବା ସହ ସଂପ୍ରସାରଣ ସାଙ୍ଗକୁ ରାସ୍ତା ମରାମତି ପାଇଁ ଦାବି କରିଥିଲେ ବସ ମାଲିକ ସଂଘ । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚିଥିଲା ।
ଏନଏଚଆଇ ଅଧିକାରୀ, ଘରୋଇ ବସ ମାଲିକ ସଂଘ ଓ ଜିଲ୍ଲା ପ୍ରଶାସନର ପ୍ରତିନିଧିଙ୍କ ଉପସ୍ଥିତିରେ ଆସନ୍ତା ଜୁନ ସୁଦ୍ଧା ରାସ୍ତା କାର୍ଯ୍ୟ ଓ ମରାମତି କରିବାକୁ ପ୍ରତିଶୃତି ପରେ ଆନ୍ଦୋଳନରୁ ହଟିଥିଲେ ବସ ମାଲିକ । ତେବେ ଆସନ୍ତାକାଲି (ଶୁକ୍ରବାର) ଠାରୁ ପ୍ରତିବାଦ ସ୍ବରୂପ ବସ ଚଳାଚଳ ସ୍ବାଭାବିକ କରୁଥିଲେ ମଧ୍ୟ ବସରେ କଳା ପତାକା ମାରି ପ୍ରତିବାଦ ଜାରି ରଖିବେ ବସ ମାଲିକ ।ଏହାସହ ତୁରନ୍ତ ମରାମତି କାର୍ଯ୍ୟ କରାନଗଲେ । ଆସନ୍ତା ଜାନୁଆରୀ ୧ତାରିଖରୁ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ବସ ମାଲିକ ସଂଘ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ