ଢେଙ୍କାନାଳ: ଜନ୍ମିତ ଶିଶୁ, ଗର୍ଭବତୀ ଓ ପ୍ରସୂତୀଙ୍କୁ ପୃଷ୍ଟିହୀନତା ଦୂରେଇବା ପାଇଁ ସରକାରଙ୍କ ତରଫରୁ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ରୂପେ ଛତୁଆ ଯୋଗାଉଛନ୍ତି । ଏପରିକି ଅଙ୍ଗନବାଡି ମାଧ୍ୟମରେ କୁନି କୁନି ଶିଶୁ ମାନଙ୍କୁ ଏହି ଛତୁଆ ଓ ମଧ୍ୟାହ୍ନ ଭୋଜନ ଆଦି ବ୍ୟବସ୍ଥା ରହିଛି । ଯାହିକି ଶିଶୁଙ୍କର ବୌଦ୍ଧିକ ବିକାଶ ଓ ଗର୍ଭବତୀ ଏବଂ ପ୍ରସୂତୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ହେଲା ମୂଳ ଲକ୍ଷ୍ୟ ।
ଏହି ଏସଏଚଜି ଗୁଡି଼କ କିପରି ଛତୁଆ ପ୍ରସ୍ତୁତି ଓ ଚାଉଳ ଚୋରି କରୁଛନ୍ତି ଏହାର ଭିଡ଼ିଓ ପଦାକୁ ଆସିବାପରେ ସମସ୍ତେ ଚିନ୍ତାରେ ପଡିଯାଇଛନ୍ତି । ଯାହାର ଭିଡିଓ କ୍ଲିପ ଏବେ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ବୋଲି ଜଣାପଡିଛି । ଖାଲି ସେତିକି ନୁହେଁ ଗୋଡ଼ରେ ଅସ୍ୱାସ୍ଥ୍ୟକର ପରିବେଶରେ ଛତୁଆକୁ ମାଡି ଦଳି ଗୋଳା ହୋଇ ପ୍ରସ୍ତୁତ କରାଯାଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।
ସେହିପରି ଚାଉଳ ବସ୍ତାରୁ କଣା କରି କଢ଼ା ହେଉଛି ଚାଉଳ । ଏହାର ୪ଟି ଭିଡିଓ ଏବେ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏହି ଭିଡିଓ ପରଜଙ୍ଗ ବ୍ଲକର ମୋଟ ୨୧୨ ଟି ଅଙ୍ଗନବାଡି କେନ୍ଦ୍ରକୁ ଦୀର୍ଘ ବର୍ଷ ହେବ ଛତୁଆ ଓ ଚାଉଳ ବିତରଣ କରୁଥିବା ସାନକମର ଗାଁର ଶକ୍ତି ମା ମହାଲକ୍ଷ୍ମୀ ଏସ୍.ଏଚଜି ଓ ଶକ୍ତି ଲକ୍ଷ୍ମୀନାରାୟଣୀ ଏସଏଚଜିର ବୋଲି ଜଣାପଡିଛି । ତେବେ ଛତୁଆ ପ୍ରସ୍ତୁତିର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାପରେ ହିତାଧିକାରୀମାନେ ଆଉ ଛତୁଆ ଖାଉନାହାଁନ୍ତି କି ଶିଶୁକୁ ଦେଉନାହାଁନ୍ତି ।
ଇଟିଭି ଭାରତ, ଢେଙ୍କାନାଳ