ଢେଙ୍କାନାଳ: ପଞ୍ଚୁଦୋଳ ପାଇଁ ଗାଁ ଥିଲା ଉତ୍ସବ ମୁଖର । ମାତ୍ର ଯାତ୍ରା ପଡିଆରେ ଗର୍ଜି ଉଠିଲା ଗାଁ ସଭାପତିଙ୍କ ବନ୍ଧୁକ । ଘଟଣାସ୍ଥଳରେ ଟଳିପଡିଲେ ଜଣେ ପୋଲିସ କନେଷ୍ଟେବଳ । ପୋଲିସ ଉପସ୍ଥିତିରେ ଏହି ଗୁଳିକାଣ୍ଡ ନେଇ ସ୍ତବ୍ଧ ହୋଇଯାଇଛି ସାରା ଗାଁ ।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ପୋଲିସ କନେଷ୍ଟେବଳକୁ କଟକ ଡାକ୍ତରଖାନାକୁ ନେବା ବାଟରେ ମୃତ୍ୟୁ ଘଟିଛି । ତେବେ ଶୁକ୍ରବାର ରାତିରେ ପୋଲିସ ଉପସ୍ଥିତିରେ ଯାତ୍ରା ପଡିଆରେ ଗାଁ ସଭାପତି ଶ୍ରୀକାନ୍ତ ସାହୁ ସଂପାଦକ ବିକ୍ରମ ଦାସଙ୍କ ଉପସ୍ଥିତିରେ ଏହି ଗୁଳିମାଡ କରିଥିବା ମୃତ ପୋଲିସ କନେଷ୍ଟବଳଙ୍କ ଭାଇ ଅଭିଯୋଗ କରିଛନ୍ତି ।
ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ । ମୃତ ରାମଚନ୍ଦ୍ର ସାହୁ ଓଡିଶା ପୋଲିସର ଆଇଆରବି ବାଟାଲିୟନର ଭୁବନେଶ୍ବରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ । ତେବେ ଯାତ୍ରାକୁ ଆସିଥିବା ପୋଲିସବାବୁଙ୍କ ଖାଇବାକୁ ନେଇ ଏହି ଗୁଳିକାଣ୍ଡର ସୂତ୍ରପାତ ବୋଲି କୁହାଯାଉଛି ।
ଗାଁ ସଭାପତି ଶ୍ରୀକାନ୍ତ ସାହୁ ତାଙ୍କ ବଡଭାଇଙ୍କୁ ମାଡ ମାରିବାରୁ ପ୍ରତିବାଦ କରିଥିଲେ ରାମଚନ୍ଦ୍ର । ଏଥିରେ ଉତକ୍ଷିପ୍ତ ହୋଇ ଶ୍ରୀକାନ୍ତ ରାମଚନ୍ଦ୍ରଙ୍କୁ ଗୁଳିମାଡ କରି ଫେରାର ହୋଇଛି । ଘଟଣାସ୍ଥଳକୁ ଢେଙ୍କାନାଳ ଏସପି ପୋଲିସ ଫୋର୍ସ ସହ ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି ।
ବାପା କାଳନ୍ଦିଙ୍କ ମୃତ୍ୟୁର ମାତ୍ର ବର୍ଷେ ପୁରିନଥିବା ବେଳେ ଏପଟେ ପୁଅ ରାମଚନ୍ଦ୍ରର ଏପରି ହତ୍ୟାରେ ସଂପୂର୍ଣ୍ଣ ପରିବାର ଭାଙ୍ଗିପଡିଛି । ମୃତ ରାମଚନ୍ଦ୍ରଙ୍କର ୫ ବର୍ଷ ଓ ୮ ମାସର ଝିଅପୁଅ ରହିଥିବା ବେଳେ ହତ୍ୟାାକାରୀ ଶ୍ରୀକାନ୍ତ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ପରିବାର ।
ଏହି ଘଟଣା ପରେ ଚାଉଳିଆରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଡେରା ପକାଇଛି । ପୋଲିସ ଉପସ୍ଥିତିରେ ଗୁଳିମାଡ କରି ଜଣେ ପୋଲିସ କନେଷ୍ଟବଲଙ୍କୁ ଏପରି ହତ୍ୟାପରେ ଅଭିଯୁକ୍ତ ଖୋଦ ଗାଁ ସଭାପତି ଖସି ପଳାଇବା ଘଟଣାପରେ ସଂପୂର୍ଣ୍ଣ ଗାଁ ସ୍ତବ୍ଧ ହୋଇଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ