ଢେଙ୍କାନାଳ: ବାଇକକୁ ଧକ୍କା ଦେଲା ହାଇୱା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡିର କୁତୁରିଆ ନିକଟରେ ।
ତେବେ ମୃତକଙ୍କ ନାମ କମଳ ହାତୀ ଓ ଗୁରୁତର ହେଲେ ମୁରଲିଧର ସାହୁ। ଉଭୟ ମହାବିରରୋଡ କଲେଜର କର୍ମଚାରୀ ବୋଲି ଜଣାପଡିଛି। ଗୁରୁତରଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଏପଟେ ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଡ୍ରାଇଭରକୁ କାବୁ କରିନେଇଛନ୍ତି ସ୍ଥାନୀୟ ଲୋକେ । ଏନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ମହାବିରୋଡ଼ ଫାଣ୍ଡି ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଡ୍ରାଇଭରକୁ ଲୋକଙ୍କ କବଳରୁ ଉଦ୍ଧାର କରି ହେପାଜତକୁ ନେଇଥିଲେ। ପରେ ପରିସ୍ଥିତି ଶାନ୍ତ ପଡିଥିଲା । ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ