ଢେଙ୍କାନାଳ: ଶିକାରୀ ଆଡ୍ଡାରେ ବନବିଭାଗର ଚଢ଼ାଉ I କପିଳାସ ଦେଓଘରର ଶିକାରୀ ଅଡ୍ଡା ଉପରେ ଚଢାଉ କରି ଜଣଙ୍କୁ ଗିରଫ କରିବା ସହ ଦୁଇଟି ବନ୍ଧୁକ ଓ ବିପୁଳ ପରିମାଣର ଶିକାର ସରଞ୍ଜାମ ଜବତ କରିଛି ବନ ବିଭାଗ I
ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ କପିଳାସ ବନାଞ୍ଚଳ ଦେଓଘରରେ ଥିବା ଶିକାରୀ ଆଡ୍ଡାରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ଦୁଇଟି ଦେଶୀ ବନ୍ଧୁକ, ଗୁଳି ବାରୁଦ, ମାଂସ କଟା ଛୁରୀ, ଚାପଡ଼, ଶିକାରୀ ଲାଇଟ ଆଦି ବିପୁଳ ପରିମାଣର ଶିକାରୀ ସରଞ୍ଜାମ ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ ହୋଇଛି । ଏହା ସହ ଚଢାଉ ବେଳେ ବହୁ ପରିମାଣର ମୟୁର ପର ଓ ଝିଙ୍କ କାଠି ମଧ୍ୟ ବନ ବିଭାଗ ଜବତ କରିଛି ।
ଗିରଫ ଶିକାରୀ ଜଣଙ୍କ ସ୍ଥାନୀୟ ଦେଓଘର ଅଞ୍ଚଳର ସୁରେଶ ସାମଲ ବୋଲି ଜଣାପଡିଛି । ଗିରଫ ସୁରେଶ ଅନ୍ୟ କେତକ ଶିକାରୀମାନଙ୍କ ସହ ମିଶି ମୟୁର, ଝିଙ୍କ , କୁଟୁରା, ହରିଣ ଆଦି ଶିକାର କରି ସେମାନଙ୍କ ମାଂସ ବାହାରେ ବିକ୍ରି କରିଥାନ୍ତି ବୋଲି ବନବିଭାଗ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏପରି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅପରାଧୀମାନଙ୍କୁ ଖୁବଶୀଘ୍ର ଧରିବା ପାଇଁ ଢେଙ୍କାନାଳ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ତନାଘନା କରାଯାଉଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ