ଢେଙ୍କାନାଳ: ଜମିବାଡି଼ ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଗଡ଼ିଲା ବୃଦ୍ଧାଙ୍କ ମୁଣ୍ଡ । ବିବାଦୀୟ ଜମିରେ ପାଣି ଟାଙ୍କି ନିର୍ମାଣକୁ ନେଇ ଉପୁଜିଥିଲା ବିବାଦ । ଏପରିକି ଦୁଇଦିନ ପୂର୍ବେ ଏହି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ସୁରପ୍ରତାପପୁର ଫାଣ୍ଡିକୁ ଯାଇଥିଲା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ଓଢ଼ଣା ଗ୍ରାମରେ ।
ସୂଚନା ଅନୁସାରେ ଓଢ଼ଣା ଗ୍ରାମରେ ପାନୀୟ ଜଳ ଯୋଗାଣ ନିମନ୍ତେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଛି । ମାତ୍ର ଟାଙ୍କି ନିର୍ମାଣ ହେଉଥିବା ଜାଗାକୁ ନେଇ ଏହି ଗ୍ରାମର ଶିଶିର କଅଁର ଓ ନବ ନାୟକଙ୍କ ପରିବାର ମଧ୍ୟରେ ବିବାଦ ରହିଥିଲା । ଏହି ଟାଙ୍କି ନିର୍ମାଣକୁ ବିରୋଧ କରି ବ୍ୟବହୃତ ହେଉଥିବା ଏକ ଗାଡି଼କୁ ନବ ନାୟକ ଓ ତାଙ୍କର ଦୁଇ ପୁଅ ଅଟକାଇଥିଲେ । ତେବେ ଶିଶିର କଅଁରଙ୍କ ମା ଅଇରୀ କଅଁର ପ୍ରତିବାଦ କରିବାରୁ ନବ ଓ ତାଙ୍କର ଦୁଇ ପୁଅ ଅଇରିଙ୍କୁ ମରଣାନ୍ତକ ଆକ୍ରମଣ କରିଥବା ଅଭିଯୋଗ ହୋଇଛି ।
ତେବେ ପରିବାର ଲୋକେ ଖବର ପାଇ ଏକ ଜମିରୁ ଅଇରୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମଠକରୋଗଳା ମେଡିକାଲରେ ଭର୍ତ୍ତି କରାଇଥିଲେ । ମାତ୍ର ସେଠାରେ ଡାକ୍ତର ଅଇରୀଙ୍କୁ ମୃତ ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତରେ ମୃତକଙ୍କ ନାତି ବଦ୍ରୀପ୍ରଶାଦ କଅଁର ସୁରପ୍ରତାପପୁର ଫାଣ୍ଡିରେ ହତ୍ୟା ଅଭିଯୋଗ କରିଥିବା ଜଣାପଡିଛି । ତେବେ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛି ।
ଇଟିଭି ଭାରତ, ଢେଙ୍କାନାଳ