ଢେଙ୍କାନାଳ: ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଛି ଢେଙ୍କାନାଳର ମଗଜି ଲଡୁ । ରାଜ୍ୟର ୬ଟି ସାମଗ୍ରୀ ମଧ୍ୟରୁ ଢେଙ୍କାନାଳର ମଗଜି ଲଡୁ ଖୁବ ଶୀଘ୍ର ଭୌଗଳିକ ସୂଚକାଙ୍କର ମନ୍ୟତା ବା ଜିଆଇ ଟ୍ୟାଗ ପାଇବାକୁ ଯାଉଛି । ତେବେ ଆଉ କିଛି ଦିନର ଅପେକ୍ଷା ପରେ ମଗଜି ଲଡ଼ୁକୁ ମିଳିବ ଜିଆଇ ମାନ୍ୟତା । ଆସନ୍ତା ଡିସେମ୍ବର 6ରେ ଭୁବନେଶ୍ବରେ ଜିଆଇ ଅଥରିଟି ଏହାର ଶୁଣାଣି କରିବେ ।
ଢେଙ୍କାନାଳର ମଗଜି ଲଡୁ଼ର ସ୍ୱାଦ ବେଶ ନିଆରା । ଏହାର ନିଆରା ସ୍ବାଦ ପାଇଁ ଏହା ସାରା ରାଜ୍ୟ ନୁହେଁ ବରଂ ସାରା ବିଶ୍ବରେ ବେଶ ପରିଚିତ। ଏଥିପାଇଁ ମଗଜି ଲଡ଼ୁ ରାଜ୍ୟରେ ୬ଟି ସାମଗ୍ରୀ ସହିତ ଭୌଗକିକ ସୂଚକାଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ ବା ଜିଆଇ ଟ୍ୟାଗ ପାଇବାକୁ ଯାଉଛି । ଏସମ୍ପର୍କରେ ଗତ ୩୧ ଅଗଷ୍ଟରେ ଜିଓଗ୍ରାଫିଆକଲ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ତେବେ ଆବେଦନ ସାମଗ୍ରୀ ଗୁଡିକ ଉପରେ ଆଗାମୀ ୪ମାସ ଭିତରେ ଯଦି କୌଣସି ଆପତ୍ତି ଅଭିଯୋଗ ନହୁଏ ତେବେ ଜିଆଇର ମାନ୍ୟତା ଘୋଷଣା କରାଯିବ ବୋଲି ଜଣାପଡିଛି ।
ଏହା ମଧ୍ୟ ପଢ଼ନ୍ତୁ....କୋରାପୁଟର ବିରଳ କଳାଜିରା ଧାନକୁ ମିଳିବ ଜିଆଇ ମାନ୍ୟତା
ପ୍ରକାଶ ଥାଉକି, ନିଜ ବାପ ଅଜା ଅମଳରୁ ପ୍ରାୟ ଏକ ଶହ ବର୍ଷ ହେଲା ଢେଙ୍କାନାଳ ଗଁନ୍ଦିଆ ବ୍ଲକ ଷଢଙ୍ଗୀ ବଜାରର ହୃଷିକେଶ ସାହୁଙ୍କ ପରିବାର କୌଳିକ ବୃତ୍ତି ଭାବେ ଏହି ମଗଜି ଲଡୁ ତିଆରି କରିଆସୁଛନ୍ତି । ଆଜକୁ ଶହେ ବର୍ଷ ହେଲା ହୃଷିକେଶଙ୍କ ସାଆନ୍ତ ବାପା ସ୍ବର୍ଗତ ଆଦିକନ୍ଦ ସାହୁ ପ୍ରଥମେ ଏହି ମଗଜି ଲଡୁ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ତେବେ ସେବେଠାରୁ ନିଜର ଏହି କୌଳିକ ପେଶାକୁ ନିଷ୍ଠା, ଆଗ୍ରହ ଓ ଶ୍ରମର ସନ୍ତକ ଭାବେ ଆଜି ମଧ୍ୟ ବଞ୍ଚାଇ ରଖିଥିବା ହୃଷିକେଶ ପ୍ରକାଶ କରିଛନ୍ତି।
ତେବେ ଓଡିଶା କୃଷି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଜିଆଇ ମାନ୍ୟତା ପାଇଁ ଆବେଦନ ପରେ ଗତ ୬ଡିସେମ୍ବର ୨୦୨୨ରେ କୃଷି ବିଶ୍ୱ ବିଦ୍ୟାଳୟ ଠାରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ଭୌଗଳିକ ସୂଚକାଙ୍କ ପରାମର୍ଶଦାତା କମିଟି ମାଧ୍ୟମରେ ହୃଷିକେଶ ନେଇଥିବା ମଗଜି ଲଡୁକୁ ପରୀକ୍ଷା ଓ ଯାଞ୍ଚ କରାଯାଇଥିଲା । ଆଉ ଏବେ ତାଙ୍କ ହାତ ତିଆରି ଏହି ମଗଜି ଲଡୁ ଜିଆଇ ମାନ୍ୟତା ପାଇଁ ଚୟନ ହୋଇଥିବାରୁ ନିଜକୁ ବେଶ ଗର୍ବିତ ବୋଲି ପ୍ରକାଶ କରିଛନ୍ତି ହୃଷିକେଶ। ତେବେ ହୃଷୀକେଶଙ୍କ ଏହି ମଗଜି ଲଡୁ ଖାଲି ରାଜ୍ୟ ନୁହେଁ ବରଂ ରାଜସ୍ଥାନ,ମୁମ୍ବାଇ, ଦିଲ୍ଲୀ ଓ ବେଙ୍ଗଲୁରୁ ସହିତ ରୁଷିଆ, ଆମେରିକା ଆଦି ଦେଶରେ ଏହାର ବେଶ ଚାହିଦା ରହିଛି । ତେବେ ବିଳମ୍ବ ହେଲେ ମଧ୍ୟ ସ୍ୱତନ୍ତ୍ର ମାନ୍ୟତା ମିଳୁଥିବାରୁ ଏହା ଢେଙ୍କାନାଲ ତଥା ରାଜ୍ୟ ପାଇଁ ଗୌରବ ଆଣୁଛି ବୋଲି ପ୍ରକାଶ କରନ୍ତି ଅଞ୍ଚଳବାସୀ।
ଇଟିଭି ଭାରତ, ଢେଙ୍କାନାଳ