ଢେଙ୍କାନାଳ: କଥାରେ ଅଛି ଶାଶୂ ହେଉଛି ଦ୍ବିତୀୟ ମାଆ । ହେଲେ ଯେଉଁ ହାତ ଶାଶୂର ସେବା କରିବା କଥା, ସେହି ହାତରେ ବୋହୂ ଶାଶୂକୁ ମାଡ ମାରି ଲହୁଲୁହାଣ କରିବା ପରି ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି ।
ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ ନଂ- ୩ରେ ରହୁଥିବା ଗୋକୁଳ ତରାଇଙ୍କ ସ୍ତ୍ରୀ ଝୁଣ୍ଟିଆ ତରାଇ ବୋହୂ ମାଡରେ ରକ୍ତାକ୍ତ ହୋଇଛନ୍ତି ।
ଶୁକ୍ରବାର ବଡି ଭୋର ସମୟରେ ଶାଶୂ ଝୁଣ୍ଟିଆ ଘର ଅଗଣାରେ ପରିସ୍ରା କରିବାକୁ ନେଇ ନାତୁଣୀଙ୍କ ସହିତ ବଚସା ହୋଇଥିଲା । ସେହି ସମୟରେ ଶୌଚ ସାରି ଘରକୁ ଫେରୁଥିବା ସାନ ବୋହୁ ଜାନକୀ ତରାଇ ହାତରେ ଧରିଥିବା ଢାଳରେ ଶାଶୁକୁ ମାଡ ମାରିଥିଲା । ଏଥିରେ ଶାଶୂଙ୍କ ଡାହାଣ ଆଖି ପତା ଫାଟିଯାଇ ରକ୍ତାକ୍ତ ହୋଇଯାଇଥିବା ଜଣାପଡିଛି ।
କୌଣସି ମତେ ଆହାତ ଝୁଣ୍ଟିଆ ଭୁବନ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଭୁବନ ପୋଲିସ ପୀଡିତାଙ୍କୁ ଭୁବନ ଡାକ୍ତରଖାନାରେ ଚିକିତ୍ସିତ କରାଇଛନ୍ତି । ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଛି ।
ସାଧାରଣତଃ ବୋହୂ ମାନଙ୍କୁ ଶାଶୂଘରେ ନିର୍ଯାତନା ଜନିତ ବହୁ ଅଭିଯୋଗ ଆସିଥାଏ । ମାତ୍ର ଜଣେ ଶାଶୂ ଏପରି ବୋହୂ ଆକ୍ରମଣର ଶିକାର ହୋଇଥିବା ଘଟଣା ବେଶ ଆଲୋଡନ ସୃଷ୍ଟି କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ