ଢେଙ୍କାନାଳ: ଲୁଟିବାର ନୂଆ ତରିକା ଆପଣାଇଛନ୍ତି ଲୁଟେରା । ଲୋକଙ୍କୁ ସେମାନଙ୍କର ଆଗତ ଭବିଷ୍ୟତ କଥା ଶୁଣାଇବା ବାହାନାରେ ଲୁଟି ନେଉଛନ୍ତି ସୁନା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳରୁ । ସହରର ମୀନା ବଜାର ଠାରେ ଜଣେ ମହିଳାଙ୍କୁ ତାଙ୍କର ପୁଅର ଭବିଷ୍ୟତ କଥା କହିବା ଆଳରେ ଦୁଇ ଲୁଟେରା ତାଙ୍କ ଠାରୁ ଲୁଟ କରିଛନ୍ତି । ନଗଦ ୭ ହଜାର ଟଙ୍କା ସହିତ ଚେନ ଓ ୫୦ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡିଛି । ଏନେଇ ମହିଳା ଜଣଙ୍କ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାରେ ସ୍ଥାନୀୟ ଏକ ଦୋକାନର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।
ତେବେ ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ କାମାକ୍ଷାନଗର ନୂଆ ଆଳୁତମା ଗ୍ରାମର ସ୍ୱର୍ଣ୍ଣଲତା ସାହୁ ବୋଲି ଜଣାପଡିଛି । ସ୍ୱର୍ଣ୍ଣଲତା ତାଙ୍କ ଭଉଣୀ ଘର ଢେଙ୍କାନାଳ ସହରର ମୀନା ବଜାରକୁ ଆସିଥିଲେ । ଗତକାଲି ଅପରାହ୍ନରେ ମହିଳା ଜଣକ ତାଙ୍କ ଝିଅକୁ ନେଇ ବଜାରକୁ ଗଲାବେଳେ ଏହି ଲୁଟେରାଙ୍କ ହାବୁଡ଼ରେ ପଡିଯାଇଥିଲେ । ସେହି ଦୁଇ ଲୁଟେରା ପରସ୍ପର ସହ ଅପରିଚିତ ଭାବେ ଅଭିନୟ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ଦିନ ଦ୍ବିପ୍ରହରରେ ଲୁଟ୍, ବନ୍ଧୁକ ମୁନରେ 50 ହଜାର ଲୁଟିନେଲେ ଦୁର୍ବୃତ୍ତ
ଏହା ମଧ୍ୟ ପଢନ୍ତୁ- ଚିକିତ୍ସା କରାଇବାକୁ କହି BSKY ନାଁରେ ଠକୁଥିଲେ, ପୋଲିସ ଜିମାରେ ନକଲି ଡାକ୍ତର
ଲୁଟେରାଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କୁ କହୁଥିବା ଭବିଷ୍ୟତ ସତ ବୋଲି ମହିଳାଙ୍କ ମନରେ ବିଶ୍ବାସ ଜନ୍ମାଇଥିଲା । ଫଳରେ ଦୁର୍ବୁତ୍ତ ଭଣ୍ଡ ବାବା କହିବା ମୁତାବକ ମହିଳା ନିଜର ସୁନା ଗହଣା ଖୋଲି ପର୍ସରେ ରଖିଥିଲେ ଏବଂ ଦ୍ୱିତୀୟ ଦୁର୍ବୃତ୍ତକୁ ଧରାଇ ଦେଇ ୨୧ ହାତ ଆଗକୁ ଚାଲି ଯାଇଥିଲେ । ମାତ୍ର ପଛକୁ ବୁଲିବା ବେଳକୁ ଉଭୟ ଦୁର୍ବୃତ୍ତ ତାଙ୍କର ମନିପର୍ସରେ ଥିବା ଟଙ୍କା ଓ ସୁନା ଗହଣା ନେଇ ଛୁ ମାରିଥିଲେ ।
ସେହିପରି ଗତକାଲି ଦିନ ଦ୍ବିପ୍ରହରରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ସହରରେ ବନ୍ଧୁକ ମୁନରେ 50 ହଜାର ଟଙ୍କା ଲୁଟ୍ ହୋଇଛି । ଲୁଟର ଶିକାର ହୋଇଥିବା ଯୁବ ବ୍ୟବସାୟୀ ଏନେଇ ରେଙ୍ଗାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରେ ପୋଲିସ ବର୍ତ୍ତମାନ ତଦନ୍ତ ଜାରି ରଖିଛି ଓ ଅଞ୍ଚଳରେ ଥିବା ସିସିଟିଭି ଯାଞ୍ଚ କରୁଛି ।
ଇଟିଭି ଭାରତ, ଢେଙ୍କାନାଳ