ଢେଙ୍କାନାଳ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ସରଗରମ ଗାଁ ରାଜନୀତି । ଆଉ କେଇଟା ଦିନ ପରେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ ଜନତା । ନିର୍ବାଚନକୁ ନେଇ ଢେଙ୍କାନାଳରେ ଜୋରସୋରେ ଚାଲିଛି ପ୍ରଚାର । ତେବେ ଭୋଟରଙ୍କ ଭୋଟ ହାତେଇବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ମଲ୍ଲିକ ।
ବିଜେଡି ପକ୍ଷରୁ ଛିଡା ହୋଇଥିବା ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ମନ୍ତ୍ରୀ । ସଦର ଜିଲ୍ଲା ପରିଷଦ ଜନ-୧ର ଦଳୀୟ ବିଜେଡି ପ୍ରାର୍ଥୀ ପୂର୍ଣ୍ଣିମା ଦେହୁରୀଙ୍କ ପାଇଁ ପ୍ରଚାର ସଦର ବ୍ଲକର ଚାଉଳିଆ, ଖମାର ଆଦି ଅଞ୍ଚଳରେ ପ୍ରଚାର କରିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏପରିକି ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଯାଇ ସଭା ସମିତି ମାଧ୍ୟମରେ ଲୋକ ମାନଙ୍କୁ ନେଇ ସରକାରଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କରେ ଜଣାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କିତ ଆଲୋଚନା କରିଥିଲେ ।
ରାଜ୍ୟରେ ନବୀନଙ୍କ ସ୍ଵଚ୍ଛ ନିର୍ମଳ ସରକାର ଓ ବିକାଶକୁ ମୁଦା କରିଛନ୍ତି ମନ୍ତ୍ରୀ। ଏପରିକି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ସମସ୍ତ ୨୭ଟି ଜିଲ୍ଲାପରିଷଦ ଆସନ ସାଙ୍ଗକୁ ବିଜେଡି ସମସ୍ତ ୮ଟି ବ୍ଲକ ଦଖଲ କରିବବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ