ଢେଙ୍କାନାଳ: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା(Matric Exam) । ଏଥିପାଇଁ ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ମୋଟ ୨୬୮ଟି ଉଚ୍ଚ ବିଦ୍ୟାଳୟର ମୋଟ ୧୬ହଜାର ୭୭୪ଛାତ୍ର ଛାତ୍ରୀ ମୋଟ ୯୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ଆଜି ପ୍ରଥମ ଦିନରେ ଇଂରାଜୀ ବିଷୟ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ ।
ସକାଳ ୮ଟାରୁ ଏହି ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ଶେଷ ହୋଇଯାଇଛି । କପି ରୋକିବାକୁ ପ୍ରତ୍ୟେକ ବ୍ଲକର BDO ମାନଙ୍କୁ ନେଇ ସ୍କ୍ୱାର୍ଡ ଗଠନ କରାଯାଇଥିବାବେଳେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ବିଭିନ୍ନ ପରୀକ୍ଷାକେନ୍ଦ୍ର ପରିଦର୍ଶନ କରିଛନ୍ତି । ପରୀକ୍ଷା କେନ୍ଦ୍ରରେ କିପରି ଶାନ୍ତି ଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା ହେବ ସେଥିପାଇଁ ପୋଲିସ ମଧ୍ୟ ମୁତୟନ ବ୍ୟବସ୍ଥା କରାଯାଇଛି ।
୩୦ଟି ପରୀକ୍ଷାକେନ୍ଦ୍ର ସମ୍ବେଦନଶୀଳ ରହିଥିବାରୁ ଏପରି ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛି । ତେବେ ଗ୍ରୀଷ୍ମ ପ୍ରବାହକୁ ଆଖିଆଗରେ ରଖି ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ପିଇବା ପାଣି ଓ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା । ପରୀକ୍ଷା ପରିଚାଳନା ସୁରୁଖୁରୁରେ ଚାଲିଥିବାରୁ ଅଭିଭାବକ ମାନେ ସ୍ୱାଗତ କରିଛନ୍ତି । ସେପଟେ ୨ ବର୍ଷ ପରେ ବିନା କଟକଣାରେ ପରୀକ୍ଷା ଦେଇ ବେଶ୍ ଖୁସିବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ