ଢେଙ୍କାନାଳ: କୋରୋନା ମହାମାରୀ ଚାରିଆଡେ କାୟା ବିସ୍ତାର କରି ଚାଲିଛି । ଗାଁ ଠୁ ସହର ସବୁଠି କୋରୋନା ତାଣ୍ଡବ । ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଏକମାତ୍ର ଆୟୁଧ ପାଲଟିଥିବା ବେଳେ କିଛି ଅମାନିଆଙ୍କ ପାଇଁ ଅନେକ ଲୋକ ବିପଦ ମୁଖରେ ପଡୁଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ କେତେକ ଲୋକଙ୍କ କ୍ଷେତ୍ରରେ ଏହା ଫଳପ୍ରଦ ହେଉନାହିଁ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ କରିବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଭୁବନ ଏନଏସି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଯେଉଁଠାରେ ମାସ୍କ ପିନ୍ଧି ନଥିବା କିଛି ଅମାନିଆ ନଜରକୁ ଆସିଥିଲେ ଏବଂ ସେମାନଙ୍କ ଠାରୁ ଫାଇନ ଆଦାୟ କରିଛି ଏନଏସି ।
ଏହି ଚଢାଉରେ ତହସିଲଦାର ପ୍ରଭାସ କୁମାର ବେଉରିଆଙ୍କ ନେତୃତ୍ବରେ ଥାନା ଅଧିକାରୀ ଜିତେନ୍ଦ୍ର ସାହୁ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ବରାଳ ନିଜ ସହକର୍ମୀମାନଙ୍କ ସହ ମିଶି ସ୍ଥାନୀୟ ବଜାରରେ ମାସ୍କ ତଦାରଖ କରିଥିଲେ । ଏଠାରେ ମାସ୍କ ପିନ୍ଧି ନଥିବା କିଛି ବ୍ୟବସାୟୀଙ୍କ ଠାରୁ ଫାଇନ କଟାଯିବା ସହ ସଚେତନ କରାଯାଇଛି । ତେବେ କୋରୋନା କାଳରେ ବ୍ୟବସାୟ ମାନ୍ଦା ଚାଲିଥିବାରୁ ଫାଇନ ଆଦାୟକୁ ନେଇ କିଛି ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଫାଇନ ବାବଦକୁ ମୋଟ 8 ହଜାର 9 ଶହ ଟଙ୍କା ଆଦାୟ ହୋଇଥିବା ଜଣାପଡ଼ିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ