ଢେଙ୍କାନାଳ: ମୋଟଙ୍ଗା ନିମବାହାଳି ଏଟିଏମ ଲୁଟ ଘଟଣାରେ ପୁଣି ଜଣେ ଲୁଟେରାଙ୍କୁ ଗିରଫ କରିଛି ଢେଙ୍କାନାଳ ପୋଲିସ। ଅଭଯୁକ୍ତକୁ ବାଲେଶ୍ବର ଜିଲ୍ଲାରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଅଭିଯୁକ୍ତ ନିକଟରୁ 4 ଲକ୍ଷ 25 ହଜାର ଟଙ୍କା ଜବତ ହୋଇଛି।
ଗତ ଡିସେମ୍ବର 14 ତାରିଖରେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକ ନିକଟସ୍ଥ ଏକ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରଥିଲେ ଦୁର୍ବୃତ୍ତ। ଏହି ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଥିଲା ବାଲେଶ୍ବର ଜିଲ୍ଲାର ଅଜୟ ମହାନ୍ତି। ଅଜୟ ମହାନ୍ତି ଜଣେ ପେଷାଦାର ଏଟିଏମ ଲୁଟେରା ବୋଲି ଜଣା ପଡ଼ିଛି। ରାଜ୍ୟ ବିଭିନ୍ନ ଥାନାରେ ତା ନାମରେ ମାମଲା ରୁଜୁ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି।
ଗିରଫ ବେଳେ ଅଭିଯୁକ୍ତ ନିକଟରୁ ନଗଦ 7 ହଜାର ଟଙ୍କା, ଗୋଟିଏ ଦାମୀ ମୋବାଇଲ ଓ ଚେକ ଜବତ ହୋଇଥିଲା। ଏହାସହ ଅଜୟ ବ୍ୟାଙ୍କ ଆକାଉଣ୍ଟରୁ ମଧ୍ୟ ଟଙ୍କା ଜବତ କରିଛି ପୋଲିସ। ମୋଟ 4 ଲକ୍ଷ 25 ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।
ଏକ ଗ୍ୟାସ କଟରରେ ଏସବିଆଇ ବ୍ୟାଙ୍କ ଏଟିଏମକୁ ତାଡ଼ି ସେଠାରୁ ମୋଟ 56 ଲକ୍ଷ 27 ହଜାର ଟଙ୍କା ଲୁଟ କରିଥିଲେ ଦୁର୍ବୃତ୍ତ। ଏହି ଲୁଟ ଘଟଣାରେ ମୋଟ 6 ଜଣ ସାମିଲ ରହିଥିଲେ। ସେମାନଙ୍କୁ ମଧ୍ୟରୁ 4 ଜଣଙ୍କୁ ସ୍ଥାନୀୟ ମୋଟଙ୍ଗା ଗ୍ରାମରୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ମାତ୍ର 42 ହଜାର ଟଙ୍କା ଉଦ୍ଧାର ହୋଇଥିଲା। ତେବେ ଘଟଣା ପରେ ପୋଲିସ ମାଷ୍ଟର ମାଇଣ୍ଡ ଅଜୟ ମହାନ୍ତିକୁ ଖୋଜୁ ଥିଲା ପୋଲିସ।
ତେବେ ଏହି ମାମଲାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଛି। ଢେଙ୍କାନାଳର ଏକ ସ୍ବତନ୍ତ୍ର ଟିମ ବର୍ତ୍ତମାନ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଜାରି ରଖିଥିବା ନେଇ ଢେଙ୍କାନାଳ ଏସଡିପିଓ ଶ୍ରୀହର୍ଷ ମିଶ୍ର ସୂଚନା ଦେଇଛନ୍ତ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ