ଢେଙ୍କାନାଳ: ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଏସବିଆଇ ଏଟିଏମ ଲୁଟ୍ ଘଟଣାରେ ପୋଲିସ ଆଉ ଜଣକୁ ଗିରଫ କରିଛି । ପୂର୍ବରୁ ପୋଲିସର ସ୍ୱତନ୍ତ୍ର ଟିମ୍ ୫ଜଣଙ୍କୁ ଗିରଫ କରିଥିଲା । ଏଥିସହ କିଛି ସାମଗ୍ରୀ ଏବଂ ଟଙ୍କା ଜବତ କରିଥିଲା । ତେବେ ଏହି ଲୁଟ ଘଟଣାର ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ପୋଲିସ ବାଲେଶ୍ୱରରୁ ଗିରଫ କରିଥିବା ଜଣାପଡ଼ିଛି ।
ଗିରଫ ଅଭିଯୁକ୍ତ ଠାରୁ ପୋଲିସ ନଗଦ ୫ ଲକ୍ଷ ୮୨ ହଜାର ୪ଶହ ଟଙ୍କା ଜବତ କରିଛି । ଏଥିସହ ତାଙ୍କ ଠାରୁ ବିଭିନ୍ନ ଦାମୀ କମ୍ପାନୀର ସ୍ମାର୍ଟ ଫୋନ, ସୁନା ଚେନ୍, ଲକେଟ୍ ଏବଂ ତିନୋଟି କି-ପ୍ୟାଡ ଫୋନ ମଧ୍ୟ ଜବତ କରିଛି ପୋଲିସ । ତେବେ ଗିରଫ ଅଭିଯୁକ୍ତ ଜଣକ ହାର୍ଡକୋର ଲୁଟେରା, ତା ନାଁରେ ବାଲେଶ୍ୱର ଭଦ୍ରକ ଆଦି ଜିଲ୍ଲାରେ ୨୫ରୁ ଊର୍ଦ୍ଧ୍ବ ଚୋରି, ଲୁଟ ଓ ଡକାୟତି ଆଦି ସଙ୍ଗୀନ ମାମଲା ଥିବା ଢେଙ୍କାନାଳ ଏସପି କେ ଶିବା ଶୁବ୍ରମଣି କହିଛନ୍ତି ।
ସୂଚନା ଅନୁଯାୟୀ ଗତ ଡିସେମ୍ବର ୧୪ତାରିଖ ରାତିରେ ନିମବାହାଳି ଏସବିଆଇ ଏଟିଏମକୁ ଗ୍ୟାସ କଟରରେ କାଟି ୨୬ଲକ୍ଷ ୫୭ହଜାର ଟଙ୍କା ଲୁଟ୍ ହୋଇଥିଲା । ଏହି ମାମଲାରେ ପର୍ଯ୍ୟାୟକ୍ରମେ ପୂର୍ବରୁ ୫ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଆଜି ଆଉଜଣଙ୍କୁ ଗିରଫ କରାଯିବା ପରେ ଗିରଫ ସଂଖ୍ୟା 6 ରେ ପହଞ୍ଚିଛି । ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରିବ ବୋଲି ଏସପି କେ ଶିବା ଶୁବ୍ରମଣି କହିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ