ଢେଙ୍କାନାଳ: କୋରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ମହିମା ଧର୍ମର ବାର୍ଷିକ ଉତ୍ସବ ଯୋରନ୍ଦା ମେଳା। ମହିମା ପରମ୍ପରା ମୁତାବକ ଗୁରୁବାର ଠାରୁ ତିନିଦିନ ବ୍ୟାପି ଏହି ମେଳାକୁ ନୀତିକାନ୍ତିରେ ମହିମା ସାଧୁମାନେ ପାଳୁଛନ୍ତି ।
ପରମ୍ପରା ମୁତାବକ ମୁଖ୍ୟ ଗାଦି ମନ୍ଦିରର ଚାରି ଦ୍ବାରରେ ସନ୍ଧ୍ୟା ପରେ ଝାଡ଼ ବତୀ ପ୍ରଜ୍ବଳନ କରିଛନ୍ତି ମହିମା ସାଧୁ । ଜଗତର କଲ୍ୟାଣ ପାଇଁ ଝାଡ଼ ବତୀରେ ମହଣ ମହଣ ଘୃତ ହୁତି କରିଛନ୍ତି ମହିମା ସାଧୁ । ଏଥିପାଇଁ ଭଣ୍ଡାର ଘରୁ ସମସ୍ତ ଉପକରଣ ଗାଦି ମନ୍ଦିରକୁ ଅଣାଯାଇଛି ।
ସାଧାରଣ ଦର୍ଶନ ପାଇଁ ଗାଦି ମନ୍ଦିର ପରିସରରେ ସୁନାର ଛତି, ତରାସ ଆଦି ସମସ୍ତ ସୁନା ରୂପାର ସାମଗ୍ରୀ ସବୁ ପରିଦର୍ଶନ କରାଯାଇଛି । ଫଳରେ ଆଜି(ଗୁରୁବାର) ଭୋର ସମୟରୁ ଗାଦିର ମହିମା ସାଧୁମାନେ ନୀତିକାନ୍ତି ଆରମ୍ଭ କରିଛନ୍ତି ।
ତେବେ କୋରୋନା ସଂକ୍ରମଣ ଆଶଙ୍କାରେ ଜିଲ୍ଲା ବାହାର ସାଧୁ ଓ ଶ୍ରଦ୍ଧାଳୁଙ୍କୁ ମହିମା ଗାଦିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଫଳରେ ମୁଖ୍ୟ ଗାଦି ମନ୍ଦିରଠୁ ଆରମ୍ଭ କରି ମେଳା ପଡିଆ ପର୍ଯ୍ୟନ୍ତ ସବୁଠି ଖାଁ ଖାଁ ପରିବେଶ ରହିଛି । ଏପରିକି କାଁ ଭାଁ ଦୋକାନ ବଜାର ଖୋଲିଥିଲେ ମଧ୍ୟ ଜନସାଧାରଣଙ୍କର ସମାଗମ ନଥିବାରୁ ବ୍ୟବସାୟୀମାନେ ହତାଶ ହୋଇପଡିଛନ୍ତି ।
ପୋଲିସ ପ୍ରଶାସନ ପକ୍ଷରୁ ସାତ ପ୍ଲାଟୁନ ଫୋର୍ସ ମୁତୟନ ମଧ୍ୟ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗାଦି ମନ୍ଦିର ଭିତରକୁ ପ୍ରବେଶ ପାଇଁ ବ୍ୟାରିକେଟ ପ୍ରସ୍ତୁତ କରାଯାଇଛି। କହିବାକୁ ଗଲେ କେବଳ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚଳିତ ବର୍ଷ ଏହି ଯୋରନ୍ଦା ମେଳାର ମହଲ ସୀମିତ ରହିଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ