ଢେଙ୍କାନାଳ: ଆଜି ପବିତ୍ର ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସ ପୀଠ । ପ୍ରଭୁ ଚନ୍ଦ୍ରଶେଖରଙ୍କ ବିଜେସ୍ଥଳୀ କପିଳାସରେ ଅନୁଷ୍ଠିତ ହେଉଛି ଜାଗରଯାତ୍ରା ।
ସବୁଦିନ ପରି ପ୍ରାତଃସମୟରୁ ପୀଠର ସେବାୟତଙ୍କ ଦ୍ବାରା ଜୟମଙ୍ଗଳା ଆରତୀ ଆରମ୍ଭ ହୋଇଥିଲା । ଜାଗର ପାଇଁ ୪ପ୍ରହରରେ ଷୋଳପୂଜା ଅନୁଷ୍ଠିତ ହେବ । ଚଳିତବର୍ଷ ୩ଟା ୫୫ରୁ ବେଢା ପୂଜା ଓ ପରିକ୍ରମା ପରେ ଭୋର ୪ଟା ୨୦ମିନିଟରେ ପୂଜାପଣ୍ଡା ଓ ପାଳିଆ ସେବକଙ୍କ ଦ୍ବାରା ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି ।
ଏହି ଜାଗର ଯାତ୍ରା ଉପଲକ୍ଷେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ମାନସିକ ଧାରୀମାନେ ପ୍ରଭୁ ଚନ୍ଦ୍ରଶେଖରଙ୍କ ପାଖରେ ଦୀପଜାଳି ମାନସିକ ରଖିଛନ୍ତି । ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ।
ବଡଦାଣ୍ଡରୁ ମନ୍ଦିର ପରିସର ପର୍ଯ୍ୟନ୍ତ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳାରେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ୧୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ବାରବାଙ୍କ ରାସ୍ତାରେ ଯାନବାହନ ଚଳାଚଳ ଉପରେ ସଂପୂର୍ଣ୍ଣ କଟକଣା ଜାରି କରିଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ