ଢେଙ୍କାନାଳ: ସବୁଦିନ ପରି ସେଦିନ ମଧ୍ୟ କଲେଜକୁ ଯାଇଥିଲା ଅଭିଜିତ । ପାଠପଢା ଆରମ୍ଭ ପୂର୍ବରୁ ପ୍ରାର୍ଥନା ପାଇଁ ଧାଡ଼ିରେ ଠିଆ ହୋଇଥିଲା (Student died while doing prayer in Dhenkanal)। ହେଲେ ଭଗବାନଙ୍କୁ ପ୍ରାର୍ଥନା କରିବା ବେଳେ ଘଟିଥିଲା ଅଘଟଣ । ହଠାତ ଛାତ୍ର ଜଣକ ଟଳି ପଡ଼ିଥିଲା । ଆଉ ଅକାଳରେ ତାର ପ୍ରାଣବାୟୁ ଉଡ଼ିଯାଇଛି । ଏଭଳି ହୃଦୟ ବିଦାରକ ଘଟଣା ଢେଙ୍କାନାଳ ସହର ଉପକଣ୍ଠ ବୋରାପଦା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ବା ଆଇଟିଆଇରେ (Borapada ITI Collge) ଘଟିଛି ।
ମିଳିଥିବା ସୂଚନା ଅନୁସାରେ ପ୍ରାର୍ଥନା ଚାଲିଥିବାବେଳେ ହଠାତ ଟଳି ପଡିଲେ ଛାତ୍ର । ଆଉ କେହି କିଛି ଭାବିବା ପୂର୍ବରୁ ଛାତ୍ର ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହାପରେ ଛାତ୍ର ଜଣଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଢେଙ୍କାନାଳ ସହରର ଉପକଣ୍ଠ ବୋରାପଦା ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ବା ଆଇଟିଆଇରେ ଘଟିଛି। ମୃତ ଛାତ୍ର ଜଣକ ଆଇଟିଆଇ ପ୍ରଥମ ବର୍ଷର ଛାତ୍ର ଅଭିଜିତ ଦାସ ବୋଲି ଜଣାପଡିଛି।
ଏହା ବି ପଢନ୍ତୁ- ତେନ୍ତୁଳିଶିଙ୍ଗା ପାର୍ବତୀ ମନ୍ଦିରରୁ ଚୋରି, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
ମୃତ ଅଭିଜିତଙ୍କ ଘର କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ସରଦେଇପୁର । ତେବେ ମୃତ୍ୟୁର ସଠିକ କାରଣ କଣ ଜଣାପଡିନାହିଁ । ଡାକ୍ତରଖନାରେ ଛାତ୍ରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡିବ । ଘଟଣା ନେଇ ଆଟିଆଇ ପକ୍ଷରୁ କୁହାଯାଇଛି ଯେ ପିଲାମାନଙ୍କର ପ୍ରାର୍ଥନା ଚାଲିଥିବାବେଳେ ଅଚାନକ ସେ ଖସି ପଡ଼ିଥିଲେ ଓ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କୁ ମୃତ ଘୋଷିତ କରିଥିଲେ ଡାକ୍ତର ।
ଏନେଇ ଆଇଟିଆଇ ବୋରାପଦାର ସହକାରୀ ତାଲିମ ପ୍ରଶିକ୍ଷକ ଧନେଶ୍ବର ବେହେରା କହିଛନ୍ତି, "ସେହି ଛାତ୍ର ଜଣକ ହଷ୍ଟେଲରେ ରୁହେ । ପ୍ରତିଦିନ ପରି ଆଜି ମଧ୍ୟ ସେ ପ୍ରାର୍ଥନା ସମୟରେ ଆସିଥିଲା । ଦୈନନ୍ଦନ ପରି ୯ଟା ୧୦ରୁ ୯ଟା ୨୫ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେୟାର କ୍ଲାସ । ଏହି ସମୟରେ ସେ ୫-୧୦ ମିନିଟ ଠିଆ ହେବା ପରେ ସେ ଟଳି ପଡ଼ିଥିଲା । ଆମେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲୁ । ଆମ୍ବୁଲାନ୍ସ ବିଳମ୍ବ କରିବା ପରେ ଆମେ ତାକୁ ନିଜ କାରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲୁ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।"
ଇଟିଭି ଭାରତ, ଢେଙ୍କାନାଳ