ଢେଙ୍କାନାଳ : ଏକ ବଡ଼ ଆନ୍ତଃଜିଲ୍ଲା ଡକାୟତି ଓ ପେଷାଦାରୀ ଅପରାଧୀ ଗ୍ୟାଙ୍ଗକୁ ଠାବ କରିଛି ଢେଙ୍କାନାଳ ସଦରଥାନା ପୋଲିସ (Inter state lootera gang arrested)। ଏହାସହ ଗ୍ୟାଙ୍ଗର ୫ଜଣ ପେଷାଦାର ଡକାୟତଙ୍କୁ ଗିରଫ କରିଛି । ଗିରଫ ପରେ ସେମାନଙ୍କଠାରୁ ବିପୁଳ ପରିମାଣର ମାରଣାସ୍ତ୍ର, ବ୍ରାଉନ ସୁଗାର, ପିସ୍ତଲ, ଗୁଳିଗୋଳା ଓ କାର ବୁଲେଟ ଜବତ କରିବାରେ ସକ୍ଷମ ହୋଇଛି ସଦର ପୋଲିସ । ଜବତ ହୋଇଥିବା ମାରଣାସ୍ତ୍ର ମଧ୍ୟରେ ୫ଟି ପିସ୍ତଲ, ୩୮ ରାଉଣ୍ଡ ଗୁଳି, ୩ଟି ମାଗାଜିନ, ଖଣ୍ଡା, ଭୁଜାଲି ରହିଛି । ଏହାସହ ବ୍ରାଉନ ସୁଗାର, ଡକାୟତି ଓ ଲୁଟ କରିଥିବା ସୁନା ମୁଦି, ଚେନ, ୨୫ହଜାର ୭୨୦ ଟଙ୍କା ପ୍ରମୁଖ ଜବତ କରିଛି ପୋଲିସ ।
ଏହି ଗ୍ୟାଙ୍ଗ ଡକାୟତି, ରାହାଜାନି, ହତ୍ୟା, ଦୁଷ୍କର୍ମ ଭଳି ବିଭିନ୍ନ ଅପରାଧରେ ସମ୍ପୃକ୍ତ ରହିଛି । ଏମାନେ ବ୍ୟବହାର କରୁଥିବା ମାରୁତି ଡିଜୟାର କାର ଓ ବୁଲେଟକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁରର ଶଙ୍କର ସାହୁ, ଧରାକୋଟର ହିମାଂଶୁ ସ୍ୱାଇଁ, ଖଲ୍ଲିକୋଟର ଅମିତ ସ୍ୱାଇଁ, କଟକ ବାଙ୍କିର ରଞ୍ଜିତ ରାଉତ, ଢେଙ୍କାନାଳ ପାପୁନ ନାଏକ । ଜଣେ ସହଯୋଗୀ ସୁପାରୀ କିଲରକୁ ମଧ୍ୟ ଗିରଫ କରିଛି ପୋଲିସ ।
ଅପରପକ୍ଷରେ ଏହି ଚୋରି ସାମଗ୍ରୀ ରଖିଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଏମାନେ ସମସ୍ତେ ପେଷାଦାର ଅପରାଧୀ ଓ ଏମାନଙ୍କ ନାମରେ ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାର ଥାନାଗୁଡ଼ିକରେ ବହୁ ସଙ୍ଗୀନ ମାମଲା ରହିଛି । ଗତ ମାସ ୨୪ ତାରିଖରେ ସଦର ଥାନା ଅନ୍ତର୍ଗତ ସଦାଶିବପୁର ଗ୍ରାମର ରଞ୍ଜନା ତ୍ରିପାଠୀଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ସୁନା ଗହଣା ଓ ଟଙ୍କା ଆଦି ଲୁଟ ଘଟଣାରେ ଏମାନେ ସମ୍ପୃକ୍ତ ରହିଥିବା ମଧ୍ୟ ଜଣା ପଡିଛି ।
ସୂଚନାନୁସାରେ ନିକଟରେ ପୋଲିସ ଜାତୀୟ ରାଜପଥରେ ରାତି ପାଟ୍ରୋଲିଂ କରୁଥିଲେ । ସେହି ସମୟରେ ପ୍ରଥମେ ଜଣେ ଡକାୟତ ଗ୍ୟାଙ୍ଗ ସଦସ୍ୟ ଧରା ପଡିଥିଲା । ଏହାପରେ ପୋଲିସ ବାଙ୍କି, ବ୍ରହ୍ମପୁର ଆଦି ଅଞ୍ଚଳରେ ପୋଲିସ ଚଢ଼ାଉ କରି ଏହି ପେଷାଦାର ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଥିଲେ ବୋଲି ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରେସ୍ମିଟରେ ପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର କହିଛନ୍ତି "ଏହି ଘଟଣାରେ ଯେଉଁ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ ଗିରଫ ହୋଇଛନ୍ତି ସେମାନଙ୍କ ସହ ଆମ ଢେଙ୍କାନାଳର କିଛି ଦୁର୍ବୃତ୍ତ ସନ୍ଦିବ୍ଧ ଭାବେ ଯୋଡ଼ି ହୋଇଛନ୍ତି । ତେବେ ଏମାନଙ୍କୁ ଗିରଫ କରିବା ସମୟରେ ସେମାନଙ୍କଠାରୁ ଏକ ଖଣ୍ଡା, ୨୪ ଗ୍ରାମର ବ୍ରାଉନସୁଗାର ଓ ବନ୍ଧୁକ ମିଳିଛି । ଯାହାକୁ ଆମେ ଜବତ କରିନେଇଛୁ । ଏହି ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ସଙ୍ଗୀନ ମାମଲା ରହିଛି । ଏମାନଙ୍କ ବନ୍ଧୁତା ଜେଲ୍ ଭିତରେ ଆରମ୍ଭ ହୋଇଥିଲା । ବିତ୍ତଶାଳୀ ବ୍ୟବସାୟୀ କିମ୍ବା ପୂର୍ବ ଶତୃତାକୁ କେନ୍ଦ୍ର କରି ଏମାନେ ନିଜ ଟାର୍ଗେଟ ବାଛି ଥାଆନ୍ତି । ସେହିପରି ଗଞ୍ଜାମରୁ ଯେଉଁ ଅପରାଧୀ ଧରା ପଡ଼ିଛି ସେ ସୁପାରୀ କିଲର ବୋଲି ସନ୍ଦେହ କରାଯାଉଛି ।"
ଇଟିଭି ଭାରତ, ଢେଙ୍କାନାଳ