ଢେଙ୍କାନାଳ: ଲକଡାଉନ କୋହଳ ସତ୍ତ୍ବେ କୋରନାର ଭୟ ଲୋକଙ୍କ ମନରୁ ଛାଡିନି । ଫଳରେ ଭଡା ନ ମିଳିବାରୁ ଢେଙ୍କାନାଳରେ ଟାକ୍ସି ମାଲିକ ଓ ଡ୍ରାଇଭରଙ୍କ ସମସ୍ୟା ବଢ଼ିବାରେ ଲାଗିଛି ।
ଦୀର୍ଘ ଅଢେଇ ମାସର ଲକଡାଉନ ପରେ କୋରନା କଟକଣା କୋହଳ ହୋଇଛି । ଲୋକ ମାନଙ୍କ ଯାତାୟାତ ନେଇ କୋହଳ ସତ୍ତ୍ବେ ମଧ୍ୟ ଢେ଼ଙ୍କାନାଳରେ ଟାକ୍ସି ଗଡିବାର ନାଁ ଧରୁନି । ଫଳରେ ଭଡାକୁ ଚାହିଁ ଚାହିଁ ଢେଙ୍କାନାଳ ବସ ଷ୍ଟାଣ୍ଡରେ ଟାକ୍ସି ଡ୍ରାଇଭରଙ୍କ ଆଖିରୁ ପାଣି ମଲାଣି । ଫଳରେ ସେମାନଙ୍କ ପରିବାର ଅବସ୍ଥା କହିଲେ ନସରେ ।
ଢେଙ୍କାନାଳ ଟାକ୍ସି ଷ୍ଟାଣ୍ଡରେ ଅନ୍ୟୁନ ଦୁଇଶହ ଟାକ୍ସି ଭଡା ପାଇଁ ଠିଆ ହୁଅନ୍ତି। ଅଢେଇ ମାସ ବନ୍ଦ ପରେ ଟାକ୍ସି ଷ୍ଟାଣ୍ଡରେ ଗାଡି ଠିଆ କରୁଥିଲେ ମଧ୍ୟ ଭଡା ଗୋଟିଏ ମଧ୍ୟ ମିଳୁନି । ଦିନ ପରେ ଦିନ ଗଡି ଚାଲୁଛି । ସେପଟେ ଟାକ୍ସିର ବ୍ୟାଙ୍କ କିସ୍ତି ସୁଧ ସହ ଦେବାକୁ ପଡିବ ଯାହାକୁ ନେଇ ଚିନ୍ତାରେ ଟାକ୍ସି ମାଲିକ ।
ସରକାର ବୁଲା ବେପାରୀଙ୍କ ଠାରୁ ଆରମ୍ଭ କରି କୋଟିପତି ବ୍ୟବସାୟୀଙ୍କ ଯାଏ ସମସ୍ତଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା କରିଛନ୍ତି। ଘରୋଇ ବସ ମାଲିକଙ୍କୁ ଟାକ୍ସ ଛାଡ଼ କଲେ । ମାତ୍ର ଟାକ୍ସି ମାଲିକ ଓ ଡ୍ରାଇଭରଙ୍କ କଥାକୁ ଭୁଲି ଯାଇଥିବାରୁ ଗୋଟିଏ ବର୍ଷର ଟାକ୍ସି ଇନ୍ସୁରାନ୍ସ ଛାଡ଼ କରିବାକୁ ସରକାରଙ୍କୁ ଏମାନେ ନିବେଦନ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ