ଢେଙ୍କାନାଳ : ଗୋରୁ ବୋଝେଇ ପିକ ଅପ ଭ୍ୟାନକୁ କାବୁ କଲେ ସ୍ଥାନୀୟ ଲୋକେ । ବେଆଇନ ଚାଲାଣ ହେଉଥିବା ୧୫ରୁ ଊର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରୁ ଆସିଛି ଏ ଅଭିଯୋଗ ।
ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଜାତୀୟ ରାଜପଥ ୫୩ ଭୁବନ ନୂଆ ବଜାର ଦେଇ ଏକ ପିକଅପ ଭ୍ୟାନଟି ଯାଉଥିଲା । ତେବେ ସ୍ଥାନୀୟ ଲୋକମାନଙ୍କର ସନ୍ଦେହ ହେବାରୁ ପିକଅପ ଭ୍ୟାନକୁ ଅଟକାଇବାରୁ ସତ ଜଣାପଡିଥିଲା । ସ୍ଥାନୀୟ ଲୋକେ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଅଟକାଇ କରି ଡ୍ରାଇଭର ସହିତ ଅନ୍ୟ ଜଣଙ୍କୁ କାବୁ କରିଥିଲେ ।
ଅତି ଅମାନୁଷିକ ଭାବେ ଏହି ଗାଡିରେ ଗୋରୁଗୁଡିକୁ ବାନ୍ଧି ଚାଲାଣ କରାଯାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇଥିଲେ । ପରେ ଭୁବନ ପୋଲିସକୁ ଖବର ଦିଆଯାଇଥିଲା ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିକଅପ୍ ଭ୍ୟାନକୁ ଜବତ କରିବା ସହିତ ଗୋଚାଲାଣ କରୁଥିବା ଗାଡିର ଚାଳକ ଓ ଅନ୍ୟଜଣକୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ ସମସ୍ତ ଗୋରୁ ସମ୍ବଲପୁରରୁ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁରକୁ ଚାଲାଣ ହେଉଥିବା ଜଣାପଡିଛି । ତେବେ ଅଟକ ଦୁଇ ଜଣଙ୍କ ପରିଚୟ ମିଳିପାରି ନାହିଁ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ