ଢେଙ୍କାନାଳ: ସରାଙ୍ଗ ଆଇଜିଆଇଟି (IGIT) ରେ ଛାତ୍ରୀଙ୍କୁ ଅସଦାଚରଣ ମାମଲା । ନିଲମ୍ବନ ହେଲେ ଅଭିଯୁକ୍ତ ଆଇଜିଆଇଟିର ଆକାଉଣ୍ଟ ଅଫିସର ଦେବଦତ୍ତ ପ୍ରଧାନ । ଶୁକ୍ରବାର ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ନିର୍ଦ୍ଦେଶକ ସତ୍ୟବ୍ରତ ମହନ୍ତ ତାଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଥିବା ସୂଚନା ମିଳିଛି ।
ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷା ପ୍ରତିଷ୍ଠାନର ରୋମିଓ ଆକାଉଣ୍ଟାଣ୍ଟଙ୍କ ଗତ 22 ତାରିଖ ଦିନ କଲେଜର ଡିପ୍ଲୋମା ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ତେବେ ଘଟଣାଟି ପ୍ରଘଟ ହେବା ପରେ ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ କରାଯାଇଥିଲା । ମାତ୍ର ଏନେଇ ଛାତ୍ରୀ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ଥାନାରେ ହୋଇ ନଥିଲା । ଯାହାକୁ ନେଇ ସସପେନ୍ସ ବଢିବାରେ ଲାଗିଥିବାବେଳେ ଆକାଉଣ୍ଟାଣ୍ଟ ଦେବଦତ୍ତ ପ୍ରଧାନ ବିନା ନୋଟିସରେ କଲେଜରୁ ଫେରାର ହୋଇଯାଇଥିଲେ ।
ଏପରିକି ପୀଡିତା ଛାତ୍ରୀର ପରିବାର ସହ ଅଭିଯୁକ୍ତ ସଲାସୁତରା ହୋଇ ସମ୍ପର୍କୀୟ ଆଳ ଦେଖାଇ ଏହି ସଙ୍ଗୀନ ମାମଲାକୁ ଭିନ୍ନ ମୋଡ ଦେଇ ଚପାଇ ଦେବାକୁ ଅପଚେଷ୍ଟା କରିଥିଲା । ମାତ୍ର ଏହି କେଳେଙ୍କାରୀ ନେଇ ‘ଇଟିଭି ଭାରତ’ରେ ବାରମ୍ବାର ଖବର ପ୍ରସାରଣ ପରେ ଆଇଜିଆଇଟି କଲେଜ କ୍ୟାମ୍ପସରେ ରହୁଥିବା କଲେଜର କର୍ମଚାରୀ ଓ ବାସିନ୍ଦା ମାନେ ଏହାର ତଦନ୍ତ କରି ଦେବଦତ୍ତକୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଥିଲେ । ଫଳରେ ଆଇଜିଆଇଟିର ନିର୍ଦ୍ଦେଶକଙ୍କ ପକ୍ଷରୁ ତଦନ୍ତ ପରେ ଶୁକ୍ରବାର ଅଭିଯୁକ୍ତ ଆକାଉଣ୍ଟ ଅଫିସର ଦେବଦତ୍ତ ପ୍ରଧାନଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ