ଢେଙ୍କାନାଳ: ନୂଆ ବର୍ଷ ଅବସରରେ ଢେଙ୍କାନାଳକୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଛି । ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଦେବଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି । ଏସବୁ ମଧ୍ୟରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ କପିଳାସରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନ ସମାଗମରେ ଦେଖିବାକୁ ମିଳିଛି ।ଏହାସହ ଜିଲ୍ଲାର ସପ୍ତଶଯ୍ୟା, ଜୋରନ୍ଦା ମହିମାଗାଦୀ , ରାମଚଣ୍ଡୀ, ସାପୁଆ , ଦଣ୍ଡାଧର ଡ୍ୟାମ ଆଦି ସ୍ଥାନରେ ବଣଭୋଜି ପାର୍ଟି ଓ ପର୍ଯ୍ୟଟକ ମାନଙ୍କ ଭିଡ଼ ଲାଗିରହିଛି ।
ତେବେ ଏସବୁ ମଧ୍ୟରେ ଜିଲ୍ଲାର କପିଳାସର ମାହୋଲ ବେଶ ନିଆରା । ପୀଠର ଆରଧ୍ୟ ପ୍ରଭୁ ଚନ୍ଦ୍ରଶେଖରଙ୍କ ମହିମା ଏହି ନୂଆ ବର୍ଷ ଅବସରରେ ଭକ୍ତଙ୍କୁ ଟାଣି ଆଣିଛି । ଫଳରେ ଏହି ପୀଠରେ ଶ୍ରଦ୍ଧାଳୁ ସମାଗମ ପରିଲକ୍ଷିତ ହୋଇଛି । ନୂଆ ବର୍ଷର ପ୍ରଥମ ସକାଳରେ ପ୍ରଭୁଙ୍କୁ ଟିକିଏ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ବେଶ ଉତ୍ସାହ ଭରି ରହିଥିବା ଦେଥିବାକୁ ମଳିଥିଲା ।
ଏହି ଅବସରରେ କପିଳାସ ପାଦ ଦେଶରୁ ଉଭୟ ପାହାଚ ଓ ପକ୍କା ରାସ୍ତାରେ ଶ୍ରଦ୍ଧାଳୁଙ୍କ ଖଚାଖଚା ଭିଡ଼ ଲାଗି ରହିଛି । ପ୍ରଭୁ ଚନ୍ଦ୍ର ଶେଖରଙ୍କୁ ଟିକିଏ ଦର୍ଶନ ପାଇଁ ମନ୍ଦିର ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଲାଗୁଛି । ଦୀପ ଟିଏ ଜାଳି ନିଜର ମାନସିକ ପୂରଣ ପାଇଁ ବ୍ୟାକୁଳ ହୋଇ ପଡିଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ଚନ୍ଦ୍ର ଶେଖରଙ୍କୁ ପୂଜାରେ ଅନ୍ୟ ଦିନ ଅପେକ୍ଷା ନୂଆବର୍ଷରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଥିବା କହିଛନ୍ତି ମନ୍ଦିରର ମୁଖ୍ୟ ସେବାୟତ ନିରଞ୍ଜନ ମହାପାତ୍ର ।
ଏହା ମଧ୍ୟ ପଢନ୍ତୁ......ନୂଆ ବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ, ମହାପ୍ରଭୁଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ
ଅନ୍ୟପଟେ ମନ୍ଦିର ଦର୍ଶନ ସାଙ୍ଗକୁ ସେପଟେ କପିଳାସ ପାଦ ଦେଶରେ ଥିବା ଚିଡ଼ିଆଖାନାରେ ମଜା ଉଠାଉଛନ୍ତି ପର୍ଯ୍ୟଟକ । ଚିଡ଼ିଆଖାନାରେ ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀ ଓ ମୃଗ ବିହାର । ଏହାସହ ରଙ୍ଗ ବେରଙ୍ଗର ଫୁଲର ସମାହାର ପର୍ଯ୍ୟଟକଙ୍କୁ ବେଶ ଅନନ୍ଦ ଦେଇଛି ।ପୁଣି ପାଖରେ ଥିବା ବିଜ୍ଞାନ ଉଦ୍ୟାନରେ ପିକନିକ ପାର୍ଟିଙ୍କ ଆସର ଜମିଛି । ଯାହାକୁ କପିଳାଶ ଆସୁଥିବା ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନେ ବେଶ ମନଭରି ନୂଆ ବର୍ଷକୁ ଉପଭୋଗ କରୁଛନ୍ତି ।ନୂଆବର୍ଷରେ ପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ପୀଠର ପ୍ରାକୃତିକ ଶୋଭରାଜି ଏବଂ ଚିଡ଼ିଆଖାନାର ମାହୋଲ ପର୍ଯ୍ୟଟକମାନଙ୍କୁ ବେଶ୍ ଆକର୍ଷିତ କରିଛି କପିଳାସ ।
ଇଟିଭି ଭାରତ, ଢେଙ୍କାନାଳ