ଢେଙ୍କାନାଳ: ନୀଚ୍ଚ ଜାତିରେ ଝିଅର ପ୍ରେମ ବିବାହକୁ ବିରୋଧ କରି ପରିବାର ଲୋକଙ୍କ ତୁମୁଳ କାଣ୍ଡ । ଝିଅ ଶାଶୁଘରେ ପଶି ଝିଅ ସହ ଶାଶୁ,ଶ୍ବଶୁର, ସ୍ବାମୀ ଓ ଦିଅର ଉପରେ କଲେ ମରାଣାନ୍ତକ ଆକ୍ରମଣ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରୁ ଅନର କିଲିଂର ଏହି ଘଟଣା ସାମ୍ନାକୁ ଆସିଛି । ଆକ୍ରମଣରେ ଗୁରୁତର 5 ପରିବାର ସଦସ୍ୟକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୋଗ ପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଏକ ପିସ୍ତଲ ଜବତ କରିଛି ।
ଗୁରୁବାର ବିଳମ୍ବିତ ରାତିରେ ଏହି ଅଭାବନୀୟ କାଣ୍ଡ ଘଟିଛି । ଝିଅ ଘର ଲୋକେ ଏକ ପୁଅ ଘର ଗାଁକୁ ଯାଇ ଦୀର୍ଘ ଦୁଇ ଘଣ୍ଟା ଧରି ଗୁଣ୍ଡାରାଜ ଘଟାଇଛନ୍ତି ଏବଂ ଉଭୟ ଜ୍ବାଇଁ-ଝିଅକୁ ମାରିଦେବାକୁ ଉଦ୍ୟମ କରିଛନ୍ତି । ତେବେ ଗ୍ରାମବାସୀ ମେଳି ହୋଇଯିବାରୁ ଆକ୍ରମଣକାରୀମାନେ ଖସି ପଳାଇ ଥିବାବେଳେ ଗୋଟିଏ ପିସ୍ତଲ ଛାଡି ଯାଇଛନ୍ତି ।
ସୂଚନାଯୋଗ୍ୟ, ନରସିଂହପୁର ଅଞ୍ଚଳର ବିଜୟ ନାୟକଙ୍କ ଝିଅ ପ୍ରଜ୍ଞା ପରମିତା ଏବଂ ତରଭା ଗ୍ରାମର ଦେବେନ୍ଦ୍ର ସେଠୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଝିଅଟି ଜାତିରେ ଖଣ୍ଡାୟତ ହୋଇଥିବା ବେଳେ ପୁଅ ନୀଚ୍ଚ ଜାତିର ହୋଇଥିବାରୁ ଘର ଲୋକେ ସେମାନଙ୍କୁ ସମ୍ପର୍କକୁ ଗ୍ରହଣ କରିନଥିଲେ । ଏହାପରେ ପ୍ରଜ୍ଞା ଘରୁ ପଳାଇ ଆସି ମେ 17 ତାରିଖରେ ଦେବେନ୍ଦ୍ରଙ୍କୁ ବିବାହ କରିଥିଲେ । ଏହାକୁ ଝିଅ ଘର ଲୋକେ ତୀବ୍ର ବିରୋଧ କରିବା ସହ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଥାନାରେ ଝିଅର ଜିଦି ଆଗରେ ବିଫଳ ହୋଇ ଫେରି ଯାଇଥିଲେ । ମାତ୍ର ପ୍ରତିଶୋଧ ନେବାକୁ ଯାଇ 5 ଜଣ ଝିଅଘର ଲୋକ ବୋଲେରୋ ଯୋଗେ ଦୁଇଟି ପିସ୍ତଲ, ଖଣ୍ଡା, ଭୁଜାଲି ଓ ଲୁହରଡ଼ ଆଦି ମାରଣାସ୍ତ୍ର ସହ ଗତ ରାତି ପ୍ରାୟ 1ଟା ସମୟରେ ଦେବେନ୍ଦ୍ରଙ୍କ ଘରେ ପଶି ଦେବେନ୍ଦ୍ର ଓ ପ୍ରଜ୍ଞା ପରାମିତାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ । ଏନେଇ ପୁଅ ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଘଟଣାର ପୋଲିସ ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ