ଢେଙ୍କାନାଳ: ହୋଲି ଉତ୍ସାହ ଆଗରେ କୋଭିଡ କଟକଣା ଫିକା ପଡିଯାଇଛି । ଢେଙ୍କାନାଳ ଜିଲ୍ଲା ଗଳିକନ୍ଦିରେ ଆନନ୍ଦ ଉତ୍ସାହର ସହ ରଙ୍ଗର ପର୍ବ ହୋଲି ଖେଳରେ ମଜ୍ଜିଗଲେ ଶିଶୁ ଠାରୁ ବୃଦ୍ଧ । ହୋଲି ଅବସରରେ ଢେଙ୍କାନାଳ ସହର ରଙ୍ଗୀନ ହୋଇଉଠିଛି । କୋଭିଡ ସଂକ୍ରମଣ ଆଶଙ୍କାରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲେ ମଧ୍ୟ ସହରର ଗଳି କନ୍ଦିରେ ପିଲାମାନଙ୍କ ଉତ୍ସାହରେ କଟକଣା ଫିକା ପଡିଯାଇଛି ।
କେବଳ ପରିବାର ମଧ୍ୟରେ ହୋଲି ପାଳିବାକୁ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରିକରିଥିଲା । ତଥାପି କୋଭିଡ ଯୋଗୁଁ ଗତ ଦୁଇ ବର୍ଷ ଧରି ହୋଲିର ଖେଳରୁ ବଞ୍ଚିତ ଢେଙ୍କାନାଳ ସହରବାସୀ ଏହି କଟକଣା ମାନି ଥିଲେ ମଧ୍ୟ ପିଲାମାନଙ୍କ ଉତ୍ସାହ ଆଗରେ କଟକଣା ହାର ମାନି ଯାଇଛି । ଫଳରେ ସହରର ଗଳିକନ୍ଦିରେ କୁନି କୁନି ପିଲା ମାନେ ହୋଲିର ରଙ୍ଗରେ ରଙ୍ଗେଇ ହୋଇ ଉଠିଥିବା ପରିଲକ୍ଷିତ ହୋଇଛି । ପରସ୍ପର ମଧ୍ୟରେ ଅବିର ଓ ରଙ୍ଗ ବୋଳି ବେଶ ଆନନ୍ଦ ଉତ୍ସାହର ସହ ହୋଲିର ଏହି ପବିତ୍ର ଉତ୍ସବରେ ମାତି ଉଠିଛନ୍ତି ।
ସେପଟେ ପ୍ରତ୍ୟେକ ବର୍ଷ ଏକ ନିଆରା ଢଙ୍ଗରେ ହୋଲି ଉତ୍ସବକୁ ପାଳୁଥିବା ଢେଙ୍କାନାଳର ଜଗତ ଉଦ୍ଧାର ମଞ୍ଚ ପକ୍ଷରୁ ପରମ୍ପରା ରଖିବାକୁ ଯାଇ ପ୍ରଥା ପାଳନ କରୁଛନ୍ତି । ସହରର କମଳା ମଣ୍ଡପ ପରିସରରେ ଢେଙ୍କାନାଳ ବରା ଓ ବିଭିନ୍ନ କିସମର ସୁସ୍ବାଦୁ ଜଳଖିଆ ପ୍ରସ୍ତୁତ କରି ବାଣ୍ଟିବା ସହ ନିଜ ନିଜ ମଧ୍ୟରେ ରଙ୍ଗ ବୋଲି ଏହି ହୋଲିର ଭାଇଚାରା ପର୍ବର ପ୍ରଥାକୁ ଆଗକୁ ବଢାଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ