ଢେଙ୍କାନାଳ: ଦେଶବ୍ୟାପୀ ଲକ ଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ କାମ କରୁଥିବା ଶ୍ରମିକମାନେ ନିଜ ନିଜ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି । ଏପରିସ୍ଥଳେ ଦୈନନ୍ଦିନ ଶହ ଶହ ସଂଖ୍ୟାରେ ଏହି ଶ୍ରମିକ ମାନେ ପାଦରେ ମାଇଲ ମାଇଲ ଧରି ବାଟ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟରେ ଦୋକାନ ବଜ଼ାର ବନ୍ଦ । ସେପଟେ ପାଖରେ ଅର୍ଥର ଅଭାବରେ ଏହି ଶ୍ରମିକ ମାନେ ଭୋକ ଉପାସରେ ଘରକୁ ଫେରିବାକୁ ପଡୁଛି ।
ବାଟ ଚାଲି ଚାଲି ପାଦ ଥକି ପଡୁଥିବା ବେଳେ ଏପଟେ ଭୋକରେ ପେଟର ଜ୍ବାଳା ଏମାନଙ୍କ ଅବସ୍ଥା ଜଟିଳ ହୋଇ ପଡୁଛି । ଏପରିସ୍ଥଳେ ଅସହାୟ ହୋଇ ପଡୁଥିବା ଏହି ଶ୍ରମିକ ମାନଙ୍କୁ ସହାୟ ହେଉଛନ୍ତି ଢେଙ୍କାନାଳର ବଜରଙ୍ଗ କ୍ଲବର ଯୁବ ଗୋଷ୍ଠି । ଗତ କାଲି ଅର୍ଥାତ ଗୁରୁବାର ରାତ୍ରିରେ ଆନ୍ଧ୍ରପ୍ରଦେଶରୁ 13ଜଣ ଶ୍ରମିକ ମଧ୍ୟପ୍ରଦେଶକୁ 55 ନମ୍ବର ଜାତୀୟ ରାଜପଥରେ ଚାଲି ଯାଉଥିବା ବେଳେ ଥକି ପଡି ଢେଙ୍କାନାଳ ଜିଲା ଗୋବିନ୍ଦପୁର ପୁଲିଆ ଫାଣ୍ଡି ଅନ୍ତର୍ଗତ ବଳଦିଆବନ୍ଧ ଠାରେ ରାସ୍ତା ପାର୍ଶ୍ବରେ ବସିଥିଲେ ।
ଖବର ପାଇ ଢେଙ୍କାନାଳ ବଜରଙ୍ଗ କ୍ଲବ ଯୁବ ଗୋଷ୍ଠୀ ପହଁଚି ସେମାନଙ୍କ ସେବା କରିଥିଲେ । ସେମାନଙ୍କୁ ରନ୍ଧା ଖାଦ୍ୟ ପାଣି ଦେବା ପରେ ବାଟରେ ଦରକାର ପାଇଁ ଚୁଡା, କଦଳୀ, ଅମୂଲ , ବିସ୍କୁଟ, ବ୍ରେଡ଼ ଆଦି ବିଭିନ୍ନ ଶୁଖିଲା ଖାଦ୍ୟ ସହ ଆବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଥିବା ଜଣାପଡ଼ିଛି । ପରେ ସେମାନଙ୍କୁ ଏକ ଟ୍ରକ ଯୋଗେ ପେରିବା ବ୍ୟବସ୍ଥା କରିଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ