ଢେଙ୍କାନାଳ: ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର(Hanging Bodies of Couple Found in Their House ) । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କଙ୍କଡପାଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଏହି ଦମ୍ପତି ଆତ୍ମହତ୍ୟା କରିଥିବା କୁହାଯାଉଛି । ଛାତ ଉପର ସିଡି ଘର କଢିରେ ସେମାନେ ନିଜ ବେକରେ ପିନ୍ଧା ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ଉଭୟ ପ୍ରଥମେ ବିଷ ପିଇବା ପରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ସେମାନଙ୍କ ନିକଟରୁ ଏକ ବିଷ ବୋତଲ ଜବତ ହୋଇଛି । ଏଥସହ ବିଷ ପିଇଥିବା ଘର କାନ୍ଥରେ 'ଆମେ ବିଷ ପିଇଛୁ' ବୋଲି ଲେଖା ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି । କିଡନୀ ରୋଗରେ ପୀଡିତ ସ୍ବାମୀର ଚିକିତ୍ସା ପାଇଁ ଅର୍ଥାଭାବ ଏବଂ ଋଣଭାର ସହି ନ ପାରି ଦମ୍ପତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ହେଉଛନ୍ତି ବିଶିକେଶନ ସାହୁ ଓ ତାଙ୍କ ପତ୍ନୀ ମାମା ସାହୁ ।
ସୂଚନା ମୁତାବକ, ବିଶିକେଶନ ଘର ପାଖରେ ଦହିବରା ବେପାର କରି ଗୁଜୁରାଣ ମେଣ୍ଟାନ୍ତି । ସେ କିଡନୀ ରୋଗରେ ପୀଡିତ ଥିଲେ । ଏଥିପାଇଁ ଉଭୟ ସ୍ବାମୀ-ସ୍ତ୍ରୀ କଟକ ମେଡିକାଲକୁ ଯାଇଥିଲେ । ଗତକାଲି(ଗୁରୁବାର) ମେଡିକାଲରୁ ଫେରିବା ପରେ ଉଭୟ ଚିନ୍ତାରେ ଥିଲେ । ଏହାପରେ ଗରମ ଲାଗିବା ଯୋଗୁଁ ଗତ ରାତିରେ ସେମାନେ ଛାତ ଉପରକୁ ଶୋଇବାକୁ ଯାଇଥିଲେ । ମାତ୍ର ଆଜି(ଶୁକ୍ରବାର) ସକାଳେ ଉଭୟଙ୍କ ମୃତଦେହ ସିଡ଼ି ଘର କଢିରେ ଝୁଲୁଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହି ଦେଖି ସେମାନେ ପୋଲିସକୁ ଖବର ଦେଇଥିଲେ । ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । କିଡନୀ ଜନିତ ରୋଗର ଚିକିତ୍ସା ପାଇଁ ଅର୍ଥାଭାବ ଆତ୍ମହତ୍ୟାର କାରଣ ବୋଲି ମୃତକଙ୍କ ବାପା ପ୍ରକାଶ କରିଛନ୍ତି ।