ଢେଙ୍କାନାଳ:ଝିଅକୁ କମେଣ୍ଟ ମରାକୁ ନେଇ ବଚସାରୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡା ଗ୍ରାମରେ ହୋଇଛି ସଂଘବଦ୍ଧ ଆକ୍ରମଣ । ଏହି ଆକ୍ରମଣରେ ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇଛି । ମୃତକ ହେଲେ ପରଜଙ୍ଗ ଥାନା କଙ୍କଡାସୋଡା ଗ୍ରାମର ବାପା ପୂର୍ଣ୍ଣ ଚନ୍ଦ୍ର ବାଇ । ଆକ୍ରମଣରେ ପୂର୍ଣ୍ଣ ଚନ୍ଦ୍ରଙ୍କ ପୁଅ ମୋହନ ବାଇ ମଧ୍ୟ ଗୁରୁତର ହୋଇଛନ୍ତି ।
ସୁଚନାନୁସାରେ, ପୂର୍ଣ୍ଣଚନ୍ଦ୍ରଙ୍କ ନାତୁଣୀକୁ ତାଙ୍କ ଗ୍ରାମର ଭୋଇ ପରିବାରର ଜଣେ ଯୁବକ କମେଣ୍ଟ ମାରିଥିବାକୁ ନେଇ ବଚସା ହୋଇଥିଲା । ଫଳରେ ଶୁକ୍ରବାର ରାତିରେ ପୂର୍ଣ୍ଣଚନ୍ଦ୍ର ମଝିଆଁ ପୁଅ ଘରକୁ ଖିର ଆଣିବାକୁ ଯାଉଥିଲେ । ସେହି ସମୟରେ ଭୋଇ ପରିବାରର ସିପୁନ ଭୋଇ, ଟୁକୁନା ଭୋଇ, ପବିତ୍ର ଭୋଇ, ଭଜମନ ଭୋଇ, ବିଦେଶି ଭୋଇ, ଅର୍ଚ୍ଚନା ଭୋଇ, ଚିନ୍ମୟୀ ଭୋଇ, ସିଲୁ ଭୋଇ ଅତର୍କିତ ଭାବେ ମାରଣାସ୍ତ୍ର ଯୋଗେ ତାଙ୍କୁ ଆକ୍ରମଣ କରିଥିଲେ । ଏହି ସମୟରେ ପୂର୍ଣଚନ୍ଦ୍ରଙ୍କୁ ବଞ୍ଚାଇବାକୁ ଯିବା ବେଳେ ପୁଅ ମୋହନ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।
ତେବେ ମୋହନଙ୍କ ହାତରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଉଭୟଙ୍କୁ ଚିକିତ୍ସା ପାଇଁ ପରଜଙ୍ଗ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ବାପା ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁ ହୋଇଛି । ପୁଅ ମୋହନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତାଳଚେର ସ୍ଥିତ ମଣ୍ଡାପାଳ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ପୂର୍ଣ୍ଣଚନ୍ଦ୍ରଙ୍କ ସାନପୁଅ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତମାନେ ଫେରାର ଅଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ