ଢେଙ୍କାନାଳ: ପୋଲିସ ଓ ପ୍ରଶାସନ ନ ଶୁଣିବାରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିଲେ ୭୦ବର୍ଷର ବୃଦ୍ଧ ବାପା ଏବଂ ତାଙ୍କ ଝିଅ।
ସୂଚନାନୁସାରେ, ବୃଦ୍ଧଙ୍କ ପଡୋଶୀ ତାଙ୍କ ଜମି ସାଙ୍ଗକୁ ଘରଡିହ ହଡପ କରିନେବା ପରେ ସ୍ଥାନୀୟ ପୋଲିସ ଓ ତହସିଲ ଦାରଙ୍କ ପାଖରେ ସେ ଆପତ୍ତି ଅଭିଯୋଗ କରିଥିଲେ । ମାତ୍ର ସୁଫଳ ବଦଳରେ ପାଲଟା ଜମି ହଡପକାରୀଙ୍କ ପକ୍ଷରୁ ମାଡ଼ ଖାଇଲେ । ପୋଲିସ , ତହସିଲଦାର ଓ ଜିଲ୍ଲାପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ଶେଷରେ ହତାସ ହୋଇଗଲେ । କେହି ବି ଶୁଣିଲେନି ସେମାନଙ୍କ କଥା । ଶେଷରେ ନିର୍ଯ୍ୟାତନା ସହି ନପାରି ଜୀବନ ହରିବାକୁ ନିଷ୍ପତ୍ତି ନେଇଥିଲେ ବୃଦ୍ଧ ବାପା ଓ ତାଙ୍କ ଝିଅ । କିନ୍ତୁ ସୌଭାଗ୍ୟ ବଶତଃ ଉଭୟଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କଲା ଟାଉନ ପୋଲିସ ।
ତେବେ ବୃଦ୍ଧ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ଅନ୍ତର୍ଗତ ସରବେରେଣି ଗ୍ରାମର ୭୦ବର୍ଷିୟ ରବି ବେହେରା ଓ ତାଙ୍କ ୨୬ବର୍ଷର ଝିଅ ସବିତା ବେହେରା । ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ