ଢେଙ୍କାନାଳ: ହାତୀ ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଗୁରୁତର । ଜିଲ୍ଲାରେ ଥମିବାର ନାଁ ଧରୁନି ହାତୀ ଉପଦ୍ରବ। ଏପରିକି ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳର ବାବନ୍ଧର ଗାଁରେ ହାତୀମାନେ ଉତ୍ପାତ ଘଟାଇଛନ୍ତି ।
ମୃତକ ଜଣକ ହେଲେ ବାବନ୍ଧର ଗାଁର ମାଟିଆ ସାହିର ଭରତ ପ୍ରଧାନଙ୍କ ପତ୍ନୀ ସଜନୀ ପ୍ରଧାନ । ଭୋରୁ ସମସ୍ତେ ଘରେ ଶୋଇଥିବାବେଳେ ହାତୀପଲ ଘର ଭାଙ୍ଗିବା ସହ ସଜନୀ ପ୍ରଧାନକୁ ଘରୁ ଟାଣି ଆଣି କଚାଡି ଦେଇଥିଲା । ଯାହାଫଳରେ ସଜନୀଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଭରତ ମଧ୍ୟ ଗୁରୁତର ହୋଇଛନ୍ତି ।
ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଢେଙ୍କାନାଳ ଡାକ୍ତରଖାନା ଓ ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି। ଏହି ହାତୀପଲ ତାଙ୍କ ଘର ସହ ବସ୍ତିର ୪ଟି ପରିବାରର ୫ବଖରା ଘର ଭଙ୍ଗାରୁଜା କରିଥିବା ଜଣାପଡିଛି। ଖବରପାଇ ହିନ୍ଦୋଳ ବନ କର୍ମଚାରୀମାନେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀପଲ ଗାଁ ପାଖ ଜଙ୍ଗଲରେ ଯାଇ ରହିଥିବାରୁ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ