ଢେଙ୍କାନାଳ : ଆସନ୍ତା ଜାନୁଆରୀ ୨୧ ପରେ ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇବେ ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସକ । ସରକାରଙ୍କ ସ୍ୱୀକୃତି ମିଳିବା ଦାବିରେ ରାଜ୍ୟ ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସକ ସଂଘ ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି ।
ଇଲେକ୍ଟ୍ରୋ ହୋମିଓପାଥି ଏକ ପ୍ରାକୃତିକ ଚିକିତ୍ସା ପଦ୍ଧତି ଓ ଏହି ଚିକିତ୍ସା ମାଧ୍ୟମରେ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ରୋଗୀ ଭଲ ହେଉଛନ୍ତି । ତେବେ ଅନ୍ୟ ଡାକ୍ତରଙ୍କ ଭଳି ଏହି ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସାରେ ଅଧ୍ୟବ୍ୟସାୟ କରୁଥିବା ରାଜ୍ୟର ୧୫ଶହ ୬୦ ଜଣ ଡାକ୍ତରଙ୍କୁ ଅନ୍ୟ ଡାକ୍ତରଙ୍କ ଭଳି ସ୍ୱୀକୃତି ମିଳୁ ବୋଲି ଦାବି କରିଛି ସଂଘ । ଏ ନେଇ ରାଜ୍ୟ ଇଲେକ୍ଟ୍ରୋ ହୋମିଓପାଥି ସଂଘ ପକ୍ଷରୁ ଢେଙ୍କାନାଳ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି ।
ସଂଘ ପକ୍ଷରୁ ବାରମ୍ବାର ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ରାଜସ୍ଥାନରେ ଏହି ଡାକ୍ତର ମାନଙ୍କୁ ରାଜ୍ୟ ସରକାର ସ୍ୱୀକୃତି ଦେଇଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେବେ ସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଚେତନତା ସୃଷ୍ଟି କରି ସେମାନଙ୍କର ଦାବି, ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ବୋଲି ଏହି ପ୍ରେସମିଟରେ ସଂଘର ଶିକ୍ଷା ଓ ବୈଷୟିକ କମିଟିର ଅଧ୍ୟକ୍ଷ ଡା. ମଳୟକାନ୍ତ ନାୟକ ପ୍ରକାଶ କରିଛନ୍ତି । ଆସନ୍ତା ଜାନୁଆରୀ ୨୧ତାରିଖ ସୁଦ୍ଧା ରାଜ୍ୟ ସରକାର ସେମାନଙ୍କୁ ସ୍ୱୀକୃତି ଦେବା ବିଷୟରେ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ନଚେତ ଆସନ୍ତା ୨୧ତାରିଖ ପରେ ରାଜ୍ୟର ସମସ୍ତ ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସକ ପ୍ରତି ଜିଲ୍ଲାରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ରାଜ୍ୟ ସଂଘର ସଭାପତି ପ୍ରକାଶ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ