ଢେଙ୍କାନାଳ: ବିଦ୍ୟୁତ ବିଭାଗର ବେପରୁଆ ମନୋଭାବରୁ ଢେଙ୍କାନାଳ ଜିଲ୍ଲା ଭୁବନ ଅସୁରବନ୍ଧ ଗ୍ରାମରେ ଟ୍ରାନ୍ସଫରମର ବିପଦସଂକୁଳ ଅବସ୍ଥାରେ ରହିଛି । ଯାହା ଫଳରେ ସ୍ଥାନୀୟ ମିଶ୍ର ସାହିର ଲୋକେ ଆତଙ୍କିତ ହୋଇଛନ୍ତି ।
ବିଦ୍ୟୁତ ବିଭାଗର ବେପରୁଆ ମନୋଭାବରୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର। ଚାରିପଟ ମୁକୁଳା। ନା ଅଛି ଚାରିପାଖରେ ବାଡ ନା ସଫା ସୁତରା । ଟ୍ରାନ୍ସଫରମରଟି ମଧ୍ୟ କମ ଉଚ୍ଚତାରେ ରହିଛି । ଏପରିକି ବିଦ୍ୟୁତ ତାର ମଧ୍ୟ ପାଖ ଘରର କାନ୍ଥ ଓ ଛାତରେ ଲାଗି ରହିଥିବା ଦେଖିବାକୁ ମିଳିଛି। ଏହା ପାଖରେ ଥିବା ନଳକୂପକୁ ସାହି ଲୋକ ପାଣି ନେବା ସହିତ ଦୈନନ୍ଦିନ ଗାଧୁଆପାଧୁଆ କରିଥାନ୍ତି। ଫଳରେ ଏହା ଗାଁର କୁନି କୁନି ପିଲା ତଥା ଗ୍ରାମବାସୀଙ୍କ ପାଇଁ ଅତ୍ୟନ୍ତ ବିପଦ ସୃଷ୍ଟି କରୁଛି । ଯାହାକୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ