ଢେଙ୍କାନାଳ : ଜଳୁଛି ଜଙ୍ଗଲ, ଆଉ ଏପଟେ ଶୋଇ ରହିଛି ବନ ବିଭାଗ । ଫଳରେ ଢେଙ୍କାନାଳ ବନଖଣ୍ଡର ମହାବୀର ରୋଡ ରେଞ୍ଜ ସୁନ୍ଦରମୁଣ୍ଡି ଭେଜିଆ ଜଙ୍ଗଲରେ ନିଆଁ ଲାଗି ପ୍ରାୟ ୪୦ଏକର ଜଙ୍ଗଲ ପୋଡି ପାଉଁଶ ହୋଇଗଲାଣି । ନିଆଁରେ ବହୁ ମୂଲ୍ୟବାନ ଗଛ ପୋଡି ଜଳି ଯାଉଥିବାବେଳେ କ୍ରମଶଃ ନିଆଁ କାୟା ବିସ୍ତାର କରି ଚାଲିଛି ।
ତେବେ ନିଆଁର ସଠିକ କାରଣ କ’ଣ ଜଣା ପଡି ନଥିଲେ ମଧ୍ୟ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଇଛି । ସରକାର ନୂତନ ବନୀକରଣ ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରୁଥିଲାବେଳେ ପ୍ରାକୃତିକ ଜଙ୍ଗଲ ନିଆଁ ଲାଗି ଜଳିପୋଡି ପାଉଁଶ ହୋଇଯାଇଥିବା ଦେଖାଦେଇଛି । ଏପରି ସ୍ଥଳେ ବନ ବିଭାଗ ସମ୍ପୂର୍ଣ୍ଣ ଶୋଇ ରହିଛି । ଯାହାକି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରି ନାହିଁ । ଫଳରେ ଢେଙ୍କାନାଳର କଙ୍କଡାହାଡ଼ ବ୍ଲକର ସୁନ୍ଦରମୁଣ୍ଡି, ମଝିକା, ଭେଜିଆ ଓ ସେପଟେ ଏହି ଜଙ୍ଗଲ ସୀମାକୁ ଲାଗିଥିବା ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ବୁଲୁଝରିଆ, ଢୋଲଗଣ୍ଡିଆ ଓ ବିରୁ ଆଦି ଗ୍ରାମର ଗ୍ରାମବାସୀ ମାନେ ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ