ଢେଙ୍କାନାଳ: ଗତକାଲି(ଗୁରୁବାର) ପୌର ନିର୍ବାଚନ ସମୟରେ ବିଜେପି କର୍ମୀଙ୍କୁ ଆକ୍ରମଣ ନେଇ ଢେଙ୍କାନାଳ ଟାଉନ ଥାନାରେ ଉତ୍ତେଜନା । ଢେଙ୍କାନାଳ ପୌର ପରିଷଦର ୱାର୍ଡ ନଂ ୧୫ରେ ବିଜେପି କର୍ମୀଙ୍କୁ କିଛି ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର ପରେ ସନ୍ଧ୍ୟାରେ ବିଜେପି କର୍ମୀମାନେ ଟାଉନ ଥାନାକୁ ଅଭିଯୋଗ କରିବାକୁ ଆସିଥିବାବେଳେ ଉଭୟ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ବଚସାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଟାଉନ ଥାନା ପରିସର ରଣକ୍ଷେତ୍ର ପାଲଟିଥିଲା ।
ଦୀର୍ଘ ଏକ ଘଣ୍ଟା ଧରି ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଚାଲିଥିଲେ ମଧ୍ୟ ପୋଲିସ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲା । ପରେ ସଦର ଏସଡିପିଓ ପୋଲିସ ଫୋର୍ସ ସହ ପହଞ୍ଚିବା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିବା ଜଣାପଡିଛି । ଏହି ଘଟଣାରେ ଆହତ ୱାର୍ଡ ନଂ ୧୫ର ବିଜେଡି କାଉନସିଲର ପ୍ରାର୍ଥୀ ବିମଳ ନାୟକଙ୍କ ସମେତ ବିଜେପିର ୩ଜଣ କର୍ମୀ ଅଟକ ରହିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ୧୫ ନଂ ୱାର୍ଡରେ ବିଜେପିର ନଗରପାଳ ପ୍ରାର୍ଥିନୀ ଜୟନ୍ତୀ ପାତ୍ରଙ୍କ ପୁତୁରା ଆକାଶ ପାତ୍ରଙ୍କୁ କିଛି ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ସନ୍ଧ୍ୟାରେ ବିଜେପି କର୍ମୀମାନେ ଟାଉନ ଥାନାକୁ ଅଭିଯୋଗ ନେଇ ଆସିଥିବା ବେଳେ ବିଜେଡି କର୍ମୀ ମଧ୍ୟ ପାଲଟା ଅଭିଯୋଗ କରିବାକୁ ଆସିଥିଲେ । ଏହାକୁ ନେଇ ଉଭୟ ଦଳ ଟାଉନ ଥାନା ପରିସରରେ ହାତାହାତି ହୋଇଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ