ଢେଙ୍କାନାଳ: ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଢେଙ୍କାନାଳର ଆରାଧ୍ୟ ପ୍ରଭୁ ବଳରାମ ଜୀଉଙ୍କ ପୀଠରେ ନିଆରା ପରମ୍ପରା ଦେଖିବାକୁ ମିଳିଛି । ପରମ୍ପରା ମୁତାବକ ଢେଙ୍କାନାଳରେ ବଳରାମ ଜୀଉଙ୍କ ମନ୍ଦିରରେ ଥିବା କୃଷ୍ଣ ବଳରାମଙ୍କ ସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଛି । ମାତ୍ର କୋରୋନା କଟକଣା ଯୋଗୁଁ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି ।
ଫଳରେ ମନ୍ଦିରର ସେବାୟତମାନେ ମନ୍ଦିରରୁ କୃଷ୍ଣ ବଳରାମ ଓ ଭଉଣୀ ସୁଭଦ୍ରାଙ୍କୁ ସ୍ନାନବେଦୀକୁ ପହଣ୍ଡି କରି ଆଣିଥିଲେ । ପରେ ନୀତିକାନ୍ତି ମୁତାବକ ହଳଦୀ ଅଗୁର ଆଦି ଲେପନ କରିଥିଲେ ସେବାୟତ। ଜୀଉଙ୍କ ସ୍ନାନ କାର୍ଯ୍ୟପରେ ପ୍ରଭୁଙ୍କର ଚନ୍ଦନ ଲାଗି କରାଯାଇଥିଲା । ଢେଙ୍କାନାଳରେ ବଳରାମ ଜୀଉଙ୍କ ପରମ୍ପରା ମୁତାବକ ପ୍ରଭୁ କୃଷ୍ଣ ବଳରାମ ଓ ଭଉଣୀ ସୁଭଦ୍ରାଙ୍କୁ ବିଭିନ୍ନ ସୁନା ଅଳଙ୍କାର ଆଭୁଷଣ କରି ସୁନାବେଶ କରାଯାଇଥିଲା ।
ମାତ୍ର ସ୍ନାନ ବେଦିରେ ପ୍ରଭୁଙ୍କର ଏହି ଦୁର୍ଲ୍ଲଭ ସୁନାବେଶ ଦେଖିବାରେ ଭକ୍ତମାନଙ୍କୁ ନିରାଶ ହେବାକୁ ପଡିଛି । କାରଣ କୋରୋନା କଟକଣା ଯୋଗୁଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ଜଣାପଡ଼ିଛି । ଫଳରେ ନୀତିକାନ୍ତି ମୁତାବକ ସେବାୟତ ମାନେ ଚଳିତ ବର୍ଷ ଏହି ଉତ୍ସବକୁ ପାଳି ପ୍ରଥା ରଖିଥିବା ଦେଖିବାକୁ ମିଳିଛି । ଏପରିକି ଜିଲ୍ଲା ବ୍ୟାପି ଜଗନ୍ନାଥ ମନ୍ଦିର ମାନଙ୍କରେ ଭକ୍ତ ଓ ସାଧାରଣ ଦର୍ଶନ ଉପରେ କଟକଣା ଜାରି କରି ପୋଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ