ଢେଙ୍କାନାଳ : ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା । ଆଉ ଏହି ସାବିତ୍ରୀ ବ୍ରତରେ ବିଭିନ୍ନ କିସମର ଫଳର ଚାହିଦା ଢେଙ୍କାନାଳରେ ଫଳ ବଜାରକୁ ଚଳଚଞ୍ଚଳ କରିଛି । କିନ୍ତୁ ଗତ ଅଢେଇ ବର୍ଷରେ କୋଭିଡର ପ୍ରଭାବ ଏବେ ମଧ୍ୟ ସାବିତ୍ରୀ ବଜାରରେ ଅନୁଭୂତ ହୋଇଛି । ଯାହାକି ଫଳ ବେପାରୀ ମାନଙ୍କୁ ହତାଶ କରିଛି ।
ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା । ଆଉ ହିନ୍ଦୁତ୍ୱ ପରମ୍ପରା ମୁତାବକ ମହିଳା ମାନେ ନିଜ ସ୍ୱାମୀର ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳିବେ । ତେବେ ସାବିତ୍ରୀ ବ୍ରତର ବିଧି ମୁତାବକ ବିଭିନ୍ନ କିସମର ଫଳର ଚାହିଦା ବର୍ଷର ଏହି ସମୟ ଫଳ ଦୋକାନୀଙ୍କର କଚେପୁଅ ବାର । ମାତ୍ର ବିଗତ ବର୍ଷ ମାନଙ୍କର ସେହି ସାବିତ୍ରୀ ବଜାରର ମାହୋଲ ଢେଙ୍କାନାଳରେ ଚଳିତ ବର୍ଷ ଦେଖିବାକୁ ମିଳୁନି । କହିବାକୁ ଗଲେ ବିଗତ କୋଭିଡ କଟକଣାରେ ଦୋହଲି ଯାଇଥିବା ଆର୍ଥିକ ମେରୁଦଣ୍ଡ ସଳଖି ପାରିନାହାନ୍ତି ସତ୍ୟବାନ ।
ଫଳରେ ତାଙ୍କ ସାବିତ୍ରୀମାନେ କେବଳ ବ୍ରତର ବିଧି ପାଳନ ପାଇଁ ବିଭିନ୍ନ ଫଳରୁ ଗୋଟିଏ ଦୁଇଟି କିଣିବାରେ ସୀମିତ ରହୁଥିବା ପ୍ରକାଶ କରିଛନ୍ତି । ବିଶେଷ କରି ସହରର ରଥଗଡା, ବାଜିଚୌକ, ବସଷ୍ଟାଣ୍ଡ ଓ ଜର୍ଜ ସ୍କୁଲ ପାଖ ଫଳ ବଜାରରେ ଫଳ ଗ୍ରାହକଙ୍କ ଭିଡ଼ ସେତେଟା ଦେଖିବାକୁ ମିଳୁନି । ପୂର୍ବ ବର୍ଷର ସାବିତ୍ରୀ ବଜାରକୁ ମନେ ପକାଇଲେ ସତେ ଯେମିତି ଚଳିତ ବର୍ଷ ଏହି ସାବିତ୍ରୀ ବଜାରର ମାହୋଲ ପୁରା ଫିକା ରହିଛି ।
ଚଳିତ ବର୍ଷ ଢେଙ୍କାନାଳରେ ସେଓ ଦେଢ଼ ଶହ ଟଙ୍କାରୁ ଦୁଇ ଶହ, ଅଙ୍ଗୁର ୮୦ଟଙ୍କାରୁ ୧୦୦ଟଙ୍କା, କମଳା ୮୦, ଡାଳିମ୍ବ ୧୮୦, ନାସପାତି ୨ଶହ ଟଙ୍କାରେ ସୀମିତ ରହିଥିବା ଜଣାପଡିଛି । ଯାହାକି ଫଳ ଦର ସାଧାରଣ ଦିନ ମାନଙ୍କ ଠାରୁ ଅତ୍ୟଧିକ ନଥିଲେ ମଧ୍ୟ ଗ୍ରାହକ କମ କମ ନେଉଥିବାରୁ ସଠିକ ଫଳ ବିକ୍ରିକୁ ନେଇ ଦୋକାନୀ ହତାଶ ହୋଇପଡିଛନ୍ତି । ତେବେ କୋଭିଡ କଟକଣା ସମ୍ପୂର୍ଣ୍ଣ କୋହଳ ଓ ଜନଜୀବନ ସ୍ୱାଭାବିକ ରହିଛି ।
ତଥାପି ବିଗତ ଦିନର କଟକଣାରେ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିର ପ୍ରଭାବ ଚଳିତ ବର୍ଷ ଏହିଫଳ ବଜାର ଉପରେ ଅନୁଭୂତ ହୋଇଛି। ଫଳରେ ଦୀର୍ଘ ଅଢେଇ ବର୍ଷ ପରେ ଭଲ ବେପାର ଆଶାରେ ଫଳ ଗଦା କରି ଗ୍ରାହକଙ୍କୁ ଚାହିଁ ରହିଥିବା ଫଳ ଦୋକାନୀ ମାନଙ୍କୁ ସମ୍ପୂର୍ଣ୍ଣ ହତାଶ କରିଦେଇଛି ।
ଇଟିଭି ଭାରତ, ଢେଙ୍କାନାଳ