ଢେଙ୍କାନାଳ: ଆଜି(ଶନିବାର) ଢେଙ୍କାନାଳ ଜିଲ୍ଲାର ସଦାଶିବପୁର ଠାରେ କମନ୍ ୟୁଜର୍ସ ଫାସିଲିଟିର ଭୂମିପୂଜନ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡ଼ିଓ କନଫରେନ୍ସିଂ ମାଧ୍ୟରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ । କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ବର ତେଲି, ଢେଙ୍କାନାଳ ସାଂସଦ ମହେଶ ସାହୁ, ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ, ଓଡ଼ପଡା ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତିଙ୍କ ସମେତ ବିପିସିଏଲର ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ସଦାଶିବପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ କଳ୍ପନାରେ ୪୨,୦୦୦ କିଲୋ ଲିଟର ଷ୍ଟୋରେଜ୍ କ୍ଷମତା ବିଶିଷ୍ଟ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ତୈଳ ଡିପୋ ନିର୍ମାଣ ପାଇଁ ଏହି ଭୂମିପୂଜନ ହୋଇଛି । ଏମଏସ, ଏଚଏସଡି, ଇଥାନଲ ଏବଂ ବାୟୋ-ଡିଜେଲକୁ ଏହି ତୈଳ ଡ଼ିପୋରେ ସଂରକ୍ଷିତ ରଖାଯିବ । ୫୦ ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପରେ ୩୯୫ କୋଟି ପୁଞ୍ଜିନିବେଶ କରିବ ଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ । ୨୦୨୩ ଅଗଷ୍ଟ ଶେଷ ଆଡ଼କୁ ପ୍ରକଳ୍ପର କାମ ଶେଷ କରାଯିବାର ଲକ୍ଷ୍ୟ ରହିଛି ।
ଏହି ପ୍ରକଳ୍ପ ଦ୍ୱାରା ପାରାଦୀପ ଟର୍ମିନାଲରୁ ପେଟ୍ରୋଲିୟମ ସାମଗ୍ରୀ ବାରମ୍ବାର ପରିବହନ କରିବାକୁ ପଡ଼ିବ ନାହିଁ । କମନ୍ ୟୁଜର୍ସ ଫାସିଲିଟିରୁ ସିଧାସଳଖ ପେଟ୍ରୋଲିୟମ ଉତ୍ପାଦ ପରିବହନ ହେବା ଦ୍ୱାରା ପରିବହନ ଖର୍ଚ୍ଚ ହ୍ରାସ ହେବ ବୋଲି ଜଣାପଡିଛି । ଏହାଦ୍ୱାରା ଅନୁଗୋଳ, କେନ୍ଦୁଝର, ଦେବଗଡ଼ ଏବଂ ଢ଼େଙ୍କାନାଳ ଜିଲ୍ଲା ଏହି ପ୍ରକଳ୍ପ ଦ୍ୱାରା ବିଶେଷ ଉପକୃତ ହେବେ । ଏହି ପ୍ରକଳ୍ପ ନିର୍ମାଣ ଓ ପରିଚାଳନା କାମରେ ପ୍ରାୟ ୨ ଲକ୍ଷ ମାନବ ଦିବସ ସୃଷ୍ଟି ଏବଂ ବ୍ୟବସାୟ ସହ ସ୍ଥାନୀୟ ଅଞ୍ଚଳରେ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପ୍ରକଳ୍ପ ତଥା ବିପିସିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏଲଆର ଜୈନ ପ୍ରକାଶ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ