ଢେଙ୍କାନାଳ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନ ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ । ତେଣୁ ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥ ଅର୍ପଣ ରଥ ଗତକାଲି (ଶନିବାର) ଠାରୁ ଗାଁରୁ ସହର ଯାଏଁ ବୁଲିବା ଆରମ୍ଭ କରିଛି । ଏହି ଅର୍ପଣ ରଥ ଦ୍ୱାରା ରାଜ୍ୟରେ ପ୍ରତ୍ୟେକ ଗାଁରୁ ଚାଉଳ ଓ ଗୁଆ ସଂଗୃହିତ ହେବ । ଏହି ଅବସରରେ ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିର ବିଭିନ୍ନ ଓ୍ୱାର୍ଡରେ ପରିକ୍ରମା କରି ଚାଉଳ ଓ ଗୁଆ ସଂଗ୍ରହ କରାଯାଇଛି ।
ପ୍ରଥମେ ୧ନଂ ଓ୍ବାର୍ଡର ଇନ୍ଦୁପୁରଠାରେ ପହଞ୍ଚିବା ପରେ ଏହି ରଥକୁ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ କାମାକ୍ଷାନଗର ନଗରପାଳ ଉପସ୍ଥିତରେ ଅର୍ପଣ ରଥକୁ ସ୍ବାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା । ପରିକ୍ରମା ପ୍ରକଳ୍ପର ଡିଜାଇନକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରଥ ପହଞ୍ଚିବା କ୍ଷଣି ହରିବୋଲ, ହୁଳହୁଳି, ସଂକୀର୍ତ୍ତନ, ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରା ପରିବେଶ ।
ପ୍ରତି ଘରୁ ମାଆମାନେ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରିଥିଲେ । ସମସ୍ତଙ୍କ ମନରେ ଏକ ପ୍ରକାର ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ଏନଏସିର ୧୫ଟି ଓ୍ୱାର୍ଡକୁ ଏହି ରଥ ପରକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଗତକାଲି ଢେଙ୍କାନାଳ ସହରରେ ଜିଲ୍ଲାପାଳ ୩ଟି ଶ୍ରୀଜଗନ୍ନାଥ ଅର୍ପଣ ରଥକୁ ଉଦଘାଟନ କରିଥିଲେ । ସମଗ୍ର ସହରରେ ଏହି ଅର୍ପଣ ରଥ ବୁଲି ପ୍ରତେକ ଘରୁ ଗୁଆ ଚାଉଳ ସଂଗ୍ରହ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ .....ଗଡ଼ିଲା ଅର୍ପଣ ରଥ, ପରିକ୍ରମା ପ୍ରକଳ୍ପ ଲାଗି ସଂଗ୍ରହ କରିବ ଅରୁଆ ଚାଉଳ-ଗୁଆ
ଏହା ମଧ୍ୟ ପଢନ୍ତୁ .....ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଆଜିଠାରୁ ଗଡ଼ିଲା ଅର୍ପଣ ରଥ, ଗାଁ ଗାଁରୁ ସଂଗ୍ରହ କରିବ ଗୁଆ-ଚାଉଳ
ସୂଚନା ଥାଉ କି ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଆଗାମୀ ୧୧ ତାରିଖ ରାତି ସୁଦ୍ଧା ପରିକ୍ରମା ମାର୍ଗର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । ତେବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ସାରା ଓଡ଼ିଶାରେ ଅର୍ପଣ ରଥ ପରିକ୍ରମା କରୁଛି । ପ୍ରତି ବ୍ଲକରେ ଶୁଭାରମ୍ଭ ହୋଇଥିବା ଏହି ଅର୍ପଣ ରଥ ପ୍ରତି ପଞ୍ଚାୟତରେ ଥିବା ଗାଁ ଗାଁ ବୁଲି ଲୋକଙ୍କଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରାଯାଉଛି ।
ଇଟିଭି ଭାରତ, ଢେଙ୍କାନାଳ