ଢେଙ୍କାନାଳ: ଜିଲ୍ଲାର ଜଣେ ପୋଲିସ ବାବୁଙ୍କ ରାସଲୀଳାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବାରୁ ଏହି ପୋଲିସ ବାବୁ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପୋଲିସ ବାବୁ ଜଣଙ୍କ ଖୋଲା ଦେହରେ ଜଣେ ଯୁବତୀଙ୍କ ସହ ଅତି ଅଶାଳୀନ ଭାବରେ ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଖବର ସାମନାକୁ ଆସିବା ପରେ ରାସ୍ତା ମଝିରେ ଦମ୍ପତ୍ତିଙ୍କ ଘମାଘୋଟ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଛି ।
ଭିଡ଼ିଓରେ ପୋଲିସ ବାବୁ ଘର ଭିତରେ ଜଣେ ଯୁବତୀଙ୍କ ସହ ବେଶ ମସଗୁଲ ଥିବା ଦେଖାଯାଇଛି । ଭିଡ଼ିଓରେ ଥିବା ପୋଲିସ ଅଧିକାରୀ ଜଣଙ୍କ ASI ବିନୟ ସାହୁ ବୋଲି ଜଣାପଡିଛି । ସେ ଢେଙ୍କାନାଳ ଭୁବନ ଥାନାରୁ ଏବେ ରାସୋଳ ଥାନାକୁ ବଦଳି ହୋଇଛନ୍ତି । ଏହି ପୋଲିସ ଅଧିକାରୀ ଜଣଙ୍କ ଗତ ଦୁଇ ଦିନ ପୂର୍ବେ ଢେଙ୍କାନାଳ ଭୁବନ ନୀଳକଣ୍ଠପୁର ଛକରେ ଏକ ରୋଚକ ଘଟଣାରେ ହରଡ଼ଘଣାରେ ପଡ଼ିଥିଲେ ।
ଏପରିକି ଭାଇରାଲ ଭିଡ଼ିଓରେ ଥିବା ଯୁବତୀ ଜଣଙ୍କ ସହିତ ପୋଲିସ ବାବୁ ନୀଳକଣ୍ଠପୁର ଛକରେ ବୁଲୁଥିବା ଖବର ପାଇ ତାଙ୍କ ଧର୍ମପତ୍ନୀ ଓ ପୁଅ ଉଭୟଙ୍କୁ ଅଟକ ରଖିଥିଲେ । ବିଚ ରାସ୍ତାରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କର ଘମାଘୋଟ ଯୁକ୍ତିତର୍କ ଲାଗିଥିଲା । ଖବର ପାଇ ଭୁବନ ଥାନା ଅଧିକାରୀ ସେମାନଙ୍କୁ ଭୁବନ ଥାନାକୁ ନେଇ ଆପୋଷ ବୁଝାମଣା କରି ଛାଡି ଦେଇଥିବା ଜଣାପଡ଼ିଛି ।
ତେବେ ପୋଲିସ ବାବୁଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ବାବୁଙ୍କ କୃଷ୍ଣ କାଳର ଅସଲ ରୂପ ଏବେ ଚାରିଆଡ଼େ ଖେଳିବାରେ ଲାଗିଛି । ସେ ବିବାହିତ ତାଙ୍କର ଦୁଇଟି ପୁଅ ଥିବାବେଳେ ଏପରି ଉତଶୃଙ୍ଖଳିତ କାରନାମାକୁ ନେଇ ଢେଙ୍କାନାଳ ପୋଲିସ ବିଭାଗର ଶୃଙ୍ଖଳା ଜ୍ଞାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏ ସମ୍ପର୍କରେ ଢେଙ୍କାନାଳ ପୋଲିସର କୌଣସି ଅଧିକାରୀ ପ୍ରତିକ୍ରିୟା ଦେଇନାହାନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ