ଅନୁଗୋଳ: ସହରର ସୁଶୀଲ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କ ନାଁରେ ଆସିଥିବା ସୁଧ କାରବାର ଅଭିଯୋଗ ଏବେ ଭିନ୍ନ ମୋଡ଼ ନେଇଛି । ପୋଲିସ ସୁଶୀଲଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦମା କରିଥିବାରୁ ସେ ପୋଲିସ ବିରୁଦ୍ଧରେ କୋର୍ଟରେ ମାନହାନି କେସ କରିବାକୁ ଚାହୁଁଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସୂଚନା ଅନୁଯାୟୀ ଛେଣ୍ଡିପଦା ଥାନା କମ୍ପସଲା ହାଇସ୍କୁଲର ଶିକ୍ଷକ ବଂଶୀଧର ଦେହୁରୀ ସୁଶୀଲଙ୍କ ବିରୁଦ୍ଧରେ ଗତ ୧୨ ତାରିଖରେ ସୁଧ କାରବାରରେ ହେରଫେର୍ କରିଥିବା ଅନୁଗୋଳ ସଦର ଥାନାରେ ଅଭିଯୋଗ କରିଥିଲେ । ବଂଶୀଧର ଦେହୁରୀ ଅଭିଯୋଗ କରିଥିଲେ ଯେ, ସେ ସୁଶୀଲଙ୍କ ଠାରୁ ୫ ଲକ୍ଷ କରଜ କରିଥିଲେ । ମାତ୍ର ସୁଧ ବାବଦକୁ ସୁଶୀଲ 25 ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଏନେଇ ପୋଲିସ ଏକ ମକଦ୍ଦମା ରୁଜୁ କରି ସୁଶୀଲଙ୍କୁ ଗିରଫ କରିଥିଲେ । ଅବଶ୍ୟ ସୁଶୀଲଙ୍କୁ ତୁରନ୍ତ ଜାମିନ ମିଳିଯାଇଥିଲା ।
ଅନ୍ୟପଟେ ସୁଶୀଲ କିନ୍ତୁ ସୋମବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିଯେ ବଂଶୀଧର ତାଙ୍କ ଠାରୁ ୨ଟି ପର୍ଯ୍ୟାୟରେ ୧୧ଲକ୍ଷ ୭୦ ହଜାର ଟଙ୍କା ନେଇଛନ୍ତି । ସେ ନିଜର ଜମି ବିକ୍ରି କରିବାକୁ ଟଙ୍କା ନେଇଥିଲେ । ଏଥିପାଇଁ ସେ ଚେକ ଦେଇଛନ୍ତି। ନୋଟାରୀଙ୍କ ପାଖରେ ଟଙ୍କା ଜମି ପାଇଁ ନେଇଥିବା ସତ୍ୟପାଠ କରିଛନ୍ତି । ସେସବୁ ଡକ୍ୟୁମେଣ୍ଟ ପୋଲିସକୁ ଦେଖାଇବା ପରେ ମଧ୍ୟ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ମକଦ୍ଦମା ରୁଜୁ କରିଛି । ତେଣୁ ପୋଲିସ ବିରୁଦ୍ଧରେ ନିଶ୍ଚିତ ଭାବେ ମାନହାନି ମକଦ୍ଦମା କରିବାକୁ ଚେତାବନୀ ଦେଇଛନ୍ତି ସୁଶୀଲ । ଏନେଇ ସଦର ଥାନା ଆଇଆଇସିଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ