ଢେଙ୍କାନାଳ: କମେଣ୍ଟ ମରାକୁ ନେଇ ଯୁବକକୁ ତୀର ମାଡ । ଢେଙ୍କାନାଳ ତୁମୁସିଂହା ଥାନା ଅନ୍ତର୍ଗତ ଆମ୍ବଖୋଲ କାଟେଣୀରେ ଏଭଳି ଅଭାବନୀୟ କାଣ୍ଡ ଘଟିଥିବାବେଳେ ଗୁରୁତର ଯୁବକଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଯୁବକ ଜଣକ ସେହି ସାନ୍ତଳ ସାହିର ଜଣେ ଯୁବତୀକୁ କମେଣ୍ଟ ମାରିବା ଅଭିଯୋଗରେ କେତେକ ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ତେବେ ଗୁରୁବାର ରାତିରେ ପୁଣି ସେହି ଯୁବକଙ୍କ ସହ ବଚସା ହେବାରୁ ଏହି ତୀରମାଡ ହୋଇଥିବା ଜଣାପଡିଛି ।
ଗୁରୁତର ଯୁବକ ଜଣଙ୍କ ତୁମୁସିଂହା ଥାନାର ଆମ୍ବଖୋଲ କାଟେଣୀ ଗ୍ରାମର ବିମଳ ଦେହୁରୀ ବୋଲି ଜଣାପଡିଛି । ଧନୁ ତୀରଟି ତାଙ୍କ ବାମ ଗୋଡରେ ବାଜିଛି ।
ତାଙ୍କୁ ପ୍ରଥମେ ସ୍ଥାନୀୟ ଅଅଁଳାବେରେଣୀ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ଅସ୍ତ୍ରୋପଚାର କରି ତାଙ୍କ ଗୋଡରୁ ତୀରକୁ କଢାଯାଇଛି । ଏ ସଂପର୍କରେ ଖବର ପାଇ ତୁମୁସିଂହା ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ