ଢେଙ୍କାନାଳ: ଏସିଆ ମହାଦେଶର ସର୍ବ ବୃହତ ଗ୍ରାମ ଢେଙ୍କାନାଳ ଜିଲ୍ଲାର ଭୁବନ । ଇତି ମଧ୍ୟରେ ଅନେକ ବର୍ଷ ବିତିଗଲାଣି । ଭୁବନରେ ଜନ ସଂଖ୍ୟା ମଧ୍ୟ ଅହେତୁକ ଭାବେ ବୃଦ୍ଧି ଘଟିଛି । ଦୋକାନ ବଜାର ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଅପରପକ୍ଷେ ବାଜି ରାଉତ ସେତୁ ନିର୍ମାଣ ପରେ ଢେଙ୍କାନାଳ ଦେଇ ଭୁବନ ସୁକିନ୍ଦା ମଧ୍ୟ ଦେଇ ଯାଜପୁରକୁ ଯାତାୟାତ ବୃଦ୍ଧିପାଇବାରେ ଲାଗିଛି ।
ଏପରିକି ଭୁବନ ଏନଏସି ଓ ବ୍ଲକ ଅଞ୍ଚଳର ଲକ୍ଷାଧିକ ଲୋକ ଏହି ବଜାର ଉପରେ ନିର୍ଭର କରନ୍ତି । ଏପରିସ୍ଥଳେ ଦୀର୍ଘ ବର୍ଷ ହେଲା ଭୁବନ ବସଷ୍ଟାଣ୍ଡରେ ସୀମିତ ଜାଗାରେ ଜାରି ରହିଛି ଯାତାୟତ ସେବା । ବସ ଓ ଯାତ୍ରୀବାହୀ ସଂଖ୍ୟା ଅନେକ ମାତ୍ରାରେ ବୃଦ୍ଧି ପାଇଥିବାରୁ ଏହି ବସ ଷ୍ଟାଣ୍ଡରେ ନାହିଁ ନଥିବା ସମସ୍ୟା ଦେଖାଯାଉଛି । ଏପରିସ୍ଥଳେ ଏହି ଭୁବନ ବସଷ୍ଟାଣ୍ଡର ସଂପ୍ରସାରଣ କରାଯିବା ଜରୁରୀ ହୋଇପଡିଛି ।
ଏଥିପାଇଁ ସରକାରୀ ସ୍ତରରେ ବସଷ୍ଟାଣ୍ଡ ପାଇଁ ନୂତନ ସ୍ଥାନ ସ୍ଥିର କରାଯାଇଥିବ ଜଣାପଡିଛି । ସ୍ଥାନୀୟ ଇଲେକ୍ଟ୍ରି ଅଫିସ ସାମ୍ନାରେ ଥିବା ଶ୍ମଶାନ ଜମିରେ ନୂତନ ବସଷ୍ଟାଣ୍ଡ ପାଇଁ କରାଯାଇଥିବା ଯୋଜନାକୁ ଏହି ଅଞ୍ଚଳର ୫ଟି ବଜାରର ବ୍ୟବସାୟୀ ମାନେ ନାପସନ୍ଦ କରିଛନ୍ତି । ଏ ସମ୍ପର୍କରେ ଭୁବନ ବିଜ୍ଞାପିତ ପରିଷଦର ଏହି ୫ଟି ବଜାରର ସଭାପତିମନେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତାବିତ ବସ ଷ୍ଟାଣ୍ଡକୁ ନୂତନ ଜାଗାକୁ ସ୍ଥାନାନ୍ତରଣ କରାଯାଉ ବୋଲି ଦାବି କରିଛନ୍ତି । ବସଷ୍ଟାଣ୍ଡକୁ ସଂପ୍ରସରଣ ଦାବି କରି ଏହାକୁ ଲାଗି କରିଥିବା ପୁରୁଣା ଥାନା, ବାଳିକା ପ୍ରାଥମିକ ବିଦ୍ୟାଳୟ ଓ ଫରେଷ୍ଟ ବିଟ୍କୁ ମିଶାଇ ଏକ ମଡେଲ ବସଷ୍ଟାଣ୍ଡ ପାଇଁ ସ।ମ୍ବାଦିକ ସମ୍ମିଳନୀରେ ଦାବି ଉପସ୍ଥାନ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ