ଢେଙ୍କାନାଳ: କଥାରେ ଅଛି ବାଡ଼ ଯେବେ ଫସଲ ଖାଇବ ତେବେ କହିବା କାହାକୁ । ଏଭଳି କିଛି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗୋବିନ୍ଦପୁର ଶାଖାରେ । କେତେକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ଏହି ବ୍ୟାଙ୍କରେ ଲକ୍ଷାଧିକ ଟଙ୍କା ରଖିଥିଲେ । ଯାହା କେଉଁଆଡେ ଗାଏବ ହୋଇଯାଇଛି । ତେବେ ଗ୍ରାହକଙ୍କ ସରଳତାର ସୁଯୋଗ ନେଇ ଖୋଦ ବ୍ୟାଙ୍କରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀ ଜାଲି ଦସ୍ତଖତ ଜରିଆରେ ସମସ୍ତ ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଗ୍ରାହକ ।
ଏ ସମ୍ପର୍କରେ ବାରମ୍ବାର ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଜଣାଇଥିଲେ ମଧ୍ୟ ସେ ଦିନ ପରେ ଦିନ ଗଡାଉଛନ୍ତି । ଯାହାପରେ ବ୍ୟାଙ୍କ ମ୍ୟାନେଜରଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି । ଫଳରେ ନିଜର କଷ୍ଟ ଉପାର୍ଜିତ ଟଙ୍କା ଫେରି ପାଇବା ଓ ଏପରି ଠକେଇ କରିଥିବା ବ୍ୟାଙ୍କ କର୍ମଚାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଛନ୍ତି ଗ୍ରାହକ । ଏପରିକି ବ୍ୟାଙ୍କକୁ ତାଲା ପକାଇ ବ୍ୟାଙ୍କ ଫାଟକ ସମ୍ମୁଖରେ ଏହି କ୍ଷତିଗ୍ରସ୍ତ ଗ୍ରାହକମାନେ ଧାରଣା ଦେଇଥିବା ଦେଖାଯାଇଛି । ଯାହାଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଏହି ବ୍ୟାଙ୍କ ଏକ ପ୍ରକାର ଅଚଳ ହୋଇପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ