ଢେଙ୍କାନାଳ: ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା ୧୦୮ ଆମ୍ବୁଲାନ୍ସ । ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସଟି ଏକ ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ହୋଇଛି । ତେବେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲେ ମଧ୍ୟ ସୌଭାଗ୍ୟ ବଶତଃ ବିଦ୍ୟୁତ୍ ଜନିତ ଅଘଟଣ ଘଟିନାହିଁ । ଢେଙ୍କାନାଳ ଟାଉନ ଥାନାର ରାମେଶ୍ବରପୁର ନିକଟରେ ଘଟିଛି ଏହି ଅଘଟଣ ।
ତେବେ ଆମ୍ବୁଲାନ୍ସରେ ଥିବା ରୋଗୀ ସୁରକ୍ଷିତ ଥିବାବେଳେ ଗାଡିର ହେଲପର ଖଗେଶ୍ବର ନାୟକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆହତ ହେଲପର ଓ ରୋଗୀକୁ ଅନ୍ୟ ଆମ୍ବୁଲାନ୍ସରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗୁରୁବାର ଭୋର ସମୟରେ ଯୋରନ୍ଦା ମହିମାଗାଦୀରୁ ଏହି ଆମ୍ବୁଲାନ୍ସ ଜଣେ ଅସୁସ୍ଥ ବାବାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିଲା । ହେଲେ ହଠାତ୍ ୧୦୮ ଆମ୍ବୁଲାନ୍ସଟି ବ୍ରେକ ଫେଲ ଯୋଗୁଁ ରାସ୍ତା ପାର୍ଶ୍ବରେ ଥିବା ୧୧କେଭି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ସେପଟେ ଦୁର୍ଘଟଣା ଯୋଗୁଁ ବିଦ୍ୟୁତ୍ ସେବା ବନ୍ଦ ରହିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ