ଢେଙ୍କାନାଳ: ରାସ୍ତା ପାଇଁ ଗୁହାରୀ କରି ଥକିଗଲେ ଲୋକେ । ସରକାରୀ କାର୍ଯ୍ୟାଳୟକୁ ଦୌଡିଦୌଡି ନୟାନ୍ତ ହୋଇଗଲେ । ହେଲେ ନା ଶୁଣିଲା ପ୍ରଶାସନ ନା ନେତା । ବ୍ୟବସ୍ଥା ଉପରୁ ଭରଷା ତୁଟାଇ ଶେଷରେ ନିଜ ଶ୍ରମ ଓ ଅର୍ଥ ଲଗାଇ ରାସ୍ତା ତିଆରି କଲେ ଗ୍ରାମବାସୀ । ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା କଙ୍କା ଗ୍ରାମବାସୀଙ୍କ କଥା । ଲଗାଣ ବର୍ଷାରେ ବ୍ରାହ୍ମଣୀ ଧୋଇ ହୋଇଯାଇଥିଲା ଗାଁର ମୁଖ୍ୟ ରାସ୍ତା । ଫଳରେ କାଦୁଅ ମଚମଚ ରାସ୍ତାରେ ଯିବା ମୁସ୍କିଲ ହୋଇ ପଡୁଥିଲା । ରାସ୍ତାରେ ସାଇକେଲ କି ଗାଡି ମଧ୍ୟ ଗଡୁ ନ ଥିଲା । ଯାଆସ ପାଇଁ ନିଇତି ଦହଗଞ୍ଜ ହେଉଥିଲେ ଗାଁ ଲୋକେ ।
ରାସ୍ତା ନିର୍ମାଣ ପାଇଁ ଅଧିକାରୀଙ୍କୁ କହିଥିଲେ । ହେଲେ ଶୁଣି ନ ଥିଲେ କେହି, ବାଧ୍ୟ ହୋଇ ପୁରା ଗ୍ରାମବାସୀ ଏକୁଜୁଟ ହୋଇ ନିର୍ମାଣ କଲେ ରାସ୍ତା । ତେବେ, ଗ୍ରାମବାସୀଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । କାମଚଳା ପାଇଁ ଅସ୍ତାୟୀ ରାସ୍ତାଟିଏ ସିନା ତିଆରି କରି ଦେଲେ ଗ୍ରାମବାସୀ । ନଦୀ କୁଳିଆ କଙ୍କା ଗ୍ରାମବାସୀଙ୍କୁ ବର୍ଷା ଚାରିମାସ ଜଳବନ୍ଦୀ କରି ଦେଉଛି ବ୍ରାହ୍ମଣୀ । ଯାହା ଫଳରେ ଏହି ମାଟିରାସ୍ତାର ସ୍ଥାୟୀତ୍ବକୁ ନେଇ ଏବେ ପ୍ରଶ୍ନ ଉଠିଛି । ପକ୍କା ରାସ୍ତା ଖଣ୍ତିଏ ହେଲେ ଏ ଅଞ୍ଚଳବାସୀଙ୍କ ଦଃଖ ଦୁର ହୁଅନ୍ତା । ତେବେ,ସରକାର ବାଙ୍କା ଗାଁରେ ସ୍ଥାୟୀ ରାସ୍ତାଟିଏ ନିର୍ମାଣ କରିବା ପାଇଁ ଦାବି ହୋଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ