ଢେଙ୍କାନାଳ: ସରକାରୀ ଯୋଜନା ପାଲଟିଛି ସାତ ସପନ । ଚାଳରୁ ଉଡିଗଲାଣି ଛପର । ଆଉ ମାଟି କାନ୍ଥ ଭାଙ୍ଗି ଆଁ କଲାଣି । ଏହି ଭଙ୍ଗା ଘରେ ଖରାବର୍ଷା ଖାଇ ବର୍ଷ ତମାମ ଜୀବନ ବିତାଉଛନ୍ତି ବୃଦ୍ଧ ଦମ୍ପତି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଗଡ଼ନୃସିଂହ ପ୍ରସାଦ ଗ୍ରାମରେ ଏଭଳି ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ବିନୋଦ ମଳିକ ଓ ପତ୍ନୀ ହୁନ୍ଦ ମଳିକ ।
ଦିନ ମଜୁରିଆ ଭାବରେ ଖଟି ଏହି ଦମ୍ପତ୍ତି ଜୀବନ ଅତିବାହିତ କରୁଥିଲେ । ହେଲେ ବୟସର ଅପରାହ୍ଣରେ ଉଭୟଙ୍କ ଉପରେ ଦଇବ ଦାଉ ସାଧିଛି । ବିନୋଦ ପକ୍ଷପାତ ରୋଗରେ ହୋଇଯାଇଛନ୍ତି ଅକର୍ମଣ୍ୟ । ପାଖରେ ଟଙ୍କା ନଥିବାରୁ କେବଳ ଚେରମୁଳିରେ ଜାରି ରହିଛି ଚିକିତ୍ସା । ଦୁହିଁଙ୍କ ସନ୍ତାନ ସନ୍ତତି ନଥିବାରୁ ଦୁହେଁ ବର୍ତ୍ତମାନ ଅସହାୟ ହୋଇ ପଡ଼ିଛନ୍ତି ।
ବିନୋଦଙ୍କ ପତ୍ନୀ ହୁନ୍ଦଙ୍କ ପାଇଁ ଭିକ୍ଷାବୃତ୍ତି ହିଁ ଗୁଜୁରାଣ ମେଣ୍ଟାଇବାର ଏକମାତ୍ର ମାଧ୍ୟମ ପାଲଟିଛି । ଭିକ୍ଷା ମୁଠାଏ ମାଗି ଆଣିଲେ ତାଙ୍କର ଚୁଲି ଜଳେ । ନହେଲେ ଉପାସ ରହି ଭଙ୍ଗା ଘରର ପିଣ୍ଡାରେ ପଡିରହନ୍ତି। ଏପଟେ ହୁଣ୍ଡଙ୍କ ଆଖିକୁ ମଧ୍ୟ ଭଲକରି ଆଉ ଦେଖାଯାଉ ନାହିଁ । ଏପରିସ୍ଥଳେ ଏମାନଙ୍କ ସ୍ଥିତି ଅତ୍ୟନ୍ତ ଦୁର୍ବିସହ ହୋଇପଡିଥିବା ତାଙ୍କ ପଡ଼ୋଶୀ କହିଛନ୍ତି ।
ସରକାରୀ ସହାୟତା କହିଲେ କେବଳ ଚାଉଳ ପାଞ୍ଚ କିଲୋ ମିଳୁଛି । ଅର୍ଥ ଅଭାବରୁ ଚାଳରେ ନଡ଼ା ବିଡେ ଗେଞ୍ଜିବା ପାଈଁ ଏମାନ ଅକ୍ଷମ । ସରପଞ୍ଚଙ୍କ ଠାରୁ ବିଡ଼ିଓ, ଜିଲ୍ଲାପାଳ କେହିବି ଏହି ବୃଦ୍ଧା ଦମ୍ପତିଙ୍କୁ ଆଡ଼ ଆଖିରେ ଚାହୁଁ ନାହାନ୍ତି । ସରକାରୀ ସହାୟତା ଯୋଗାଇ ଦେବାକୁ ଦମ୍ପତିଙ୍କ ସହ ଗ୍ରାମବାସୀ ନିବେଦନ କରିଛନ୍ତି । କେବେ ବୃଦ୍ଧ ଦମ୍ପତିଙ୍କୁ ସରକାରୀ ସହାୟତା ମିଳୁଛି ତାହାରି ଉପରେ ରହିଛି ନଜର ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ